ସମାଜରେ ବଢ଼ି ଚାଲିଥିବା ଯୌନ ନିର୍ଯାତନାର ଶିକାର ହୁଏ କୋମଳମତି ବାଳିକା ପରୀ। ଅନେକ ସ୍ୱପ୍ନ ଥିଲା ବାପାମାଆଙ୍କର, ମାତ୍ର ଅକାଳରେ ଝରି ପଡ଼ିଲା ପରୀ। ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡ଼ିଯାଇଛି ବିଚରା ବାପାମାଆଙ୍କର ଉଦ୍ୟମ। ହେଲେ ପରିଶେଷରେ କ’ଣ ପରୀକୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକାତର କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଛବି ‘ପରୀ’। ଏହାର କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି।
ସହ-ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ। ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ତ୍ରିପତି କୁମାର ସାହୁ। ସେନ୍ସର ଅପେକ୍ଷାରେ ଥିବା ଏହି ଫିଲ୍ମରେ ପ୍ରଥମ ଥର ଲାଗି ନାୟକ ଜ୍ୟୋତି ଓ ‘ଚାରିଧାମ’ ଫେମ୍ ଅନୁରାଧା ପାଣିଗ୍ରାହୀଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ପପି ସନ୍ତୁକା, ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହା ପ୍ରମୁଖ ଅଭିନୟ କରିଛନ୍ତି।
ଡକ୍ଟର ରଜନୀ ରଞ୍ଜନ ‘ପରୀ’ର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଜାପାନୀ ଭାଇ। ପ୍ରମୋଦ ପରିଡ଼ାଙ୍କ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ନାୟକ, ରୁକୁ ସୁନା ଓ ଡକ୍ଟର ରୋହନ ବିଶ୍ୱାଳ। ଧ୍ରୁବାନନ୍ଦ ପଣ୍ଡା (ଲିଟୁ) ଏହାର ସିନେମାଟୋଗ୍ରାଫର୍ ଓ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ଏସ୍ କେ ମୁରଲୀଧରନ୍ ଓ ଅମିତ ନାୟକ ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।