ପ୍ରଖ୍ୟାତ ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲ ନିଜ ବାୟୋପିକ୍ରେ କାମ କରୁଥିବା ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ଚଳଚ୍ଚିତ୍ରରେ ପରିଣିତି ସମ୍ପୂର୍ଣ୍ଣ ଭାବେ ସାଇନାଙ୍କ ଭଳି ଦେଖାଯିବା ପାଇଁ ଉଦ୍ୟମ କରିଥିବା ବେଳେ ପରିଣିତିଙ୍କ ଏହି ଲୁକ୍କୁ ଟ୍ବିଟର୍ରେ ସେୟାର କରି ସାଇନା ‘ଲୁକ୍ଆଲାଇକ୍’ ବୋଲି କ୍ୟାପ୍ସନ୍ ଦେଇଛନ୍ତି।
ଗତବର୍ଷଠାରୁ ପରିଣିତି ଏହି ବାୟୋପିକ୍ର ସୁଟିଂରେ ଲାଗି ଯାଇଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଓ ତାଙ୍କ ଟିମ୍ କହିଛନ୍ତି, ଚଳଚ୍ଚିତ୍ରର ଚରିତ୍ର ପାଇଁ ଯାହା ଯାହା ଦରକାର, ସେ ସବୁ ପରିଣିତିଙ୍କ ପାଖରେ ରହିଛି। ସାଇନାଙ୍କ ଚରିତ୍ର ପାଇଁ ପରିଣିତିଙ୍କୁ ପ୍ରଶିକ୍ଷିତ କରିବା ଲାଗି ଏକ ଫିଜିଓ ଟିମ୍ ସହ ବିଶ୍ବସ୍ତରୀୟ ଖେଳାଳି ଦଳ ତାଙ୍କୁ ତାଲିମ୍ ଦେଉଛନ୍ତି। ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ ବାସ୍ତବଧର୍ମୀ କରିବା ପାଇଁ ସାଇନା କେମିତି ଖେଳନ୍ତି, କେଉଁ କେଉଁ ଖେଳାଳିଙ୍କ ସହ ସେ ଖେଳିଛନ୍ତି ଓ ତାଙ୍କର ସବୁ ମ୍ୟାଚ୍ ବିଷୟରେ ସବିଶେଷ ତଥ୍ୟ ଆଣି ଏବେ ଦସ୍ତାବିଜ୍ ପ୍ରସ୍ତୁତ କରାଯାଉଛି। ଏସବୁ ନିଖୁଣ ଭାବେ ପରଦାରେ ପ୍ରତିଫଳନ କରିବାକୁ ନିର୍ମାତାମାନେ ଜୋରସୋର୍ରେ ଲାଗି ପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ ପରିଣିତି ଆଗକୁ ହଲିଉଡ୍ ଚଳଚ୍ଚିତ୍ର ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ହିନ୍ଦୀ ରିମେକ୍ରେ ବି ନଜର ଆସିବେ।