ଆଲିୟାଙ୍କ ‘ରାଜି’ ଠାରୁ ଅଲଗା ପରିଣୀତିଙ୍କ ‘ତିରଙ୍ଗା’

ଗତ ବୁଧବାର ଦିନ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ‘କୋଡ୍ ନେମ୍ ତିରଙ୍ଗା’ ଶୀର୍ଷକ ଚଳଚ୍ଚିତ୍ରର ଟ୍ରେଲର୍ ଆସିବା ପରେ ଏ ନେଇ ସିନେପ୍ରେମୀଙ୍କର ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ପାଖାପାଖି ତିନି ମିନିଟ୍‌ର ଟ୍ରେଲର୍‌ ଦେଖି ଅନୁମାନ କରିହେଉଛି ଯେ ଚଳଚ୍ଚିତ୍ରରେ ଆକ୍ସନ୍ ଓ ଦେଶଭକ୍ତିର ଦମ୍‌ଦାର ମିଶ୍ରଣ ଦେଖିବାକୁ ମିଳିବ। ଏଥିରେ ପରିଣୀତି ଜଣେ ‘ର’ ଏଜେଣ୍ଟ୍‌ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହିତ ହାର୍ଡି ସନ୍ଧୁଙ୍କ ଅଭିନୀତ ଡାକ୍ତର ଚରିତ୍ରର ପ୍ରେମକାହାଣୀ ମଧ୍ୟ ସମାନ୍ତରାଳ ଭାବେ ଦୃଶ୍ୟମାନ ହୋଇଛି। ତେବେ ପରିଣୀତିଙ୍କୁ ନିଜ ପ୍ରେମ ଏବଂ ଦେଶ ପାଇଁ ଲଢ଼ିବା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଛି।

ଦର୍ଶକମାନେ ସିେନମାରେ ଏହି ଦ୍ବନ୍ଦ୍ବର ଏକ ରୋମାଞ୍ଚକର ପରିଣତି ଦେଖିବାକୁ ପାଇବେ। ୨୦୧୮ରେ ମୁକ୍ତିଲାଭ କରିଥିବା ଆଲିୟା ଭଟ୍ଟ ଅଭିନୀତ ‘ରାଜି’ର କାହାଣୀ ସହିତ ଏଥିରେ ସାମଞ୍ଜସ୍ୟ ରହିଥିବା କିଛି ଲୋକ ଆଶଙ୍କା ପ୍ରକାଶ କରିଆସୁଥିଲେ। କିନ୍ତୁ ପରିଣୀତି ଏହି ଆଶଙ୍କାକୁ ଖଣ୍ଡନ କରି କହିଛନ୍ତି ଯେ ଏ ଦୁଇ ଚଳଚ୍ଚିତ୍ରରେ କୌଣସି ସାମଞ୍ଜସ୍ୟ ନାହିଁ। ‘ରାଜି’ର ସ୍ଥାନ-କାଳ-ପାତ୍ର ଓ କାହାଣୀ ଠାରୁ ‘କୋଡ୍ ନେମ୍ ତିରଙ୍ଗା’ ସଂପୂର୍ଣ୍ଣ ଭିନ୍ନ। ଏ କଥାକୁ ଅଧିକ ବିଶ୍ବସ୍ତ କରିବା ଲାଗି ପରିଣୀତି ପ୍ରକାଶ କରିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ରରେ ‘ରାଜି’ର ଜଣେ ଅଭିନେତା ମଧ୍ୟ ଅଛନ୍ତି। ସେହି ଅଭିନେତା କହିଛନ୍ତି ଯେ ଏ ଦୁଇଟି ଚଳଚ୍ଚିତ୍ର ସଂପୂର୍ଣ୍ଣ ଭିନ୍ନ ଓ ମୌଳିକ। ‘କୋଡ୍ ନେମ୍ ତିରଙ୍ଗା’ର ଅଧିକାଂଶ ଦୃଶ୍ୟ ତୁର୍କୀରେ ଉତ୍ତୋଳନ କରାଯାଇଛି। ଏହା ଏ ବର୍ଷର ସବୁଠାରୁ ରୋମାଞ୍ଚକର ଚଳଚ୍ଚିତ୍ର ହେବ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ଅକ୍‌ଟୋବର ୧୪ ତାରିଖରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସମାନ ଦିନରେ ମୁକ୍ତିଲାଭ କରୁଥିବା ଆୟୁଷ୍ମାନ ଖୁରାନାଙ୍କ ‘ଡକ୍ଟର ଜୀ’ ହେଉଛି ଏହାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ।

ସମ୍ବନ୍ଧିତ ଖବର