ନିକଟରେ ମୁକ୍ତିଲାଭ କରିଥିବା ‘ଦୁର୍ଗା’ର ପଦ୍ମାବତୀ ଚରିତ୍ର ପରେ ପୁଣି ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କୁ ଏକ ଚମତ୍କାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ମୁକ୍ତି ଅପେକ୍ଷାରେ ଥିବା ‘ଆଜିର ରେବତୀ’ରେ ପୁଷ୍ପାଙ୍କୁ ପାର ଚରିତ୍ରରେ ଦେଖିବାକୁ ମିଳିବ। ସିନେମାର କାହାଣୀ ଅନୁଯାୟୀ, ୪ ପ୍ରାପ୍ତବୟସ୍କ ସନ୍ତାନଙ୍କ ଜନନୀ ପାର ହଠାତ୍ ରୢୁମାଟିଜିମ୍ ରୋଗରେ ପୀଡ଼ିତ ହୋଇ ଚଳତ୍‌ଶକ୍ତି ହରାଇବସନ୍ତି। ସ୍ତ୍ରୀଙ୍କ ଦେହ ଓ ଘର କଥା ବୁଝିବା ଲାଗି ବାଧ୍ୟ ହୋଇ ପାରଙ୍କ ସ୍ବାମୀ ଝିଅ ବୟସର ଜଣେ କିଶୋରୀ ରେବତୀଙ୍କ ମଥାରେ ସିନ୍ଦୂର ଦେଇ ଘରକୁ ଆଣନ୍ତି। ଏହାପରେ ସ୍ବାମୀଙ୍କ ଉପରେ ସନ୍ଦେହ କରନ୍ତି ପାର। କିନ୍ତୁ କିଛି ଦିନ ଭିତରେ ରେବତୀର ସେବା ଫଳରେ ସଂପୂର୍ଣ୍ଣ ସୁସ୍ଥ ହୋଇଉଠନ୍ତି ସେ। ଏହାପରେ କାହାଣୀ ନୂଆ ମୋଡ଼ ନିଏ, ଯାହା ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇବ। ଏହାପରର କାହାଣୀ ଜାଣିବାକୁ ସିନେପ୍ରେମୀଙ୍କୁ ଦ୍ବିଭାଷୀ ଛବି ‘ଆଜିର ରେବତୀ’ର ରିଲିଜ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ। ଏହି ସିନେମାରେ ପୁଷ୍ପାଙ୍କ ସ୍ବାମୀ ଭୂମିକାରେ ଅଛନ୍ତି ବରିଷ୍ଠ ଅଭିନେତା ପୃଥ୍ବୀରାଜ ନାୟକ।
ଜୟଦେବ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ନିଷିଦ୍ଧ ସ୍ବପ୍ନ’ରୁ ଅଭିନୟ ଯାତ୍ରା ଆରମ୍ଭ କରି ପ୍ରାୟ ୪ ଦଶନ୍ଧି ଧରି ଓଲିଉଡ୍‌ରେ ସକ୍ରିୟ ଥିବା ପୁଷ୍ପା ପଣ୍ଡା କହନ୍ତି, ‘ପାର ଚରିତ୍ରଟି ମୋ କ୍ୟାରିଅର୍‌ର ଏକ ମାଇଲ୍‌ଖୁଣ୍ଟ ହେବ। ଏହାକୁ ଜୀବନ୍ତ କରିବା ଲାଗି ମୁଁ ଚେଷ୍ଟା କରିଛି।’

Advertisment

ଉଲ୍ଲେଖଯୋଗ୍ୟ, ରମେଶ ବାରିକଙ୍କ ପ୍ରଯୋଜିତ ‘ଆଜିର ରେବତୀ’ର ନିର୍ଦ୍ଦେଶକ ହେଲେ ‘ପୁଷ୍କରା’ ଫେମ୍ ଶୁଭ୍ରାଂଶୁ ଦାସ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୀୟ ନାୟକ ବନ୍ନି ସେନଗୁପ୍ତ, ଶୀତଲ୍ ଓ ଉଷସୀ ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବଦ୍ରୀ ମିଶ୍ରଙ୍କ କାହାଣୀ ଆଧାରିତ ଏହି ସିନେମାର ସଂଳାପକାର ହେଲେ ଶ୍ୟାମା ପ୍ରସାଦ ମିଶ୍ର। ପ୍ରେମ୍ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।