ବିଶ୍ବ ବକ୍ସ ଅଫିସରେ ସୁପରହିଟ ହୋଇଥିଲେ ବି ସାଉଥରେ ଫିକା ପଡ଼ିଲେ ଶାହରୁଖ, ଆୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ ଚାରି ବର୍ଷ ପରେ ‘ପଠାନ’ ହୋଇ ବଡ଼ ପରଦାରେ ହାଇଚଇ ସୃଷ୍ଟି କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ପ୍ୟାକ୍ଡ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେ‌ଳେ ବିଶ୍ବ ବକ୍ସ ଅଫିସରେ ସୁପରହିଟ ହୋଇଛି। ବିଶ୍ବ ବକ୍ସ ଅଫିସରେ ‘ପଠାନ’ ୬୪୦କୋଟି ଆୟ କରିସାରିଥିଲେ ବି ସାଉଥରେ ଫିଲ୍ମ ଫିକା ପଡ଼ିଥିବା ଜଣାପଡ଼ିଛି।

ସାଉଥ ସୁପରଷ୍ଟାର ଥଲପତି ବିଜୟ ଓ ଅଜିତ କୁମାରଙ୍କ ଆଗରେ ଶାହରୁଖ ଫିକା ପଡ଼ିଛନ୍ତି। ବିଶ୍ବ ବକ୍ସ ଅଫିସରେ ୬୦୦କୋଟିରୁ ଅଧିକ ଆୟ କରିଥିବା ‘ପଠାନ’ ଦକ୍ଷିଣ ଭାରତରେ ମାତ୍ର ୧୦କୋଟି ଆୟ କରିପାରିଛି। ‘ପଠାନ’ ରିଲିଜ ହେବା ପୂର୍ବରୁ ପୋଙ୍ଗଳରେ ବିଜୟଙ୍କ ‘ବାରିସୁ’ ଓ ଅଜିତଙ୍କ ‘ଥୁନିଭୁ’ ରିଲିଜ୍ ହୋଇଥିଲା। ତେବେ ଏହି ଦୁଇଟି ଫିଲ୍ମ ଏବେ ବି ବକ୍ସ ଅଫିସରେ କମାଲ କରୁଥିବାରୁ ଦକ୍ଷିଣ ଭାରତରେ ‘ପଠାନ’ର ଯାଦୁ ଚାଲିପାରିନଥିବା ଦେଖାଯାଇଛି। ୬ଦିନରେ ‘ପଠାନ’ ବିଶ୍ବରେ ୬୪୦କୋଟି ଆୟ କରିଥିବା ବେଳେ ଦକ୍ଷିଣ ଭାରତରେ ମାତ୍ର ୧୦.୭୫କୋଟି ଟଙ୍କା ଆୟ କରିଛି।

ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର