‘ପଠାନ’ ସିନେମା ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିବା ଜାରି ରଖିଥିବା ବେଳେ ଏହାର ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଫାଇଟର୍’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏଥିରେ ପ୍ରଥମ ଥର ଲାଗି ଋତିକ ରୋଶନ ଓ ଦୀପିକା ପାଦୁକୋଣଙ୍କୁ ଏକାଠି ଦେଖିବାର ସୁଯୋଗ ମିଳିବ। ପୂର୍ବରୁ ସିଦ୍ଧାର୍ଥଙ୍କ ଅଧୀନରେ ଋତିକ ‘ଓ୍ୱାର’ ଏବଂ ଦୀପିକା ‘ପଠାନ’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ୨୦୧୯ରେ ମୁକ୍ତିଲାଭ କରିଥିବା ‘ଓ୍ୱାର’ ଚଳଚ୍ଚିତ୍ରରେ ଋତିକଙ୍କ ଚମତ୍କାର ଅଭିନୟ ଦେଖିବା ପରେ ଦୀପିକା ତାଙ୍କ ସହିତ କାମ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ।
ଦୀପିକାଙ୍କ ଏହି ଇଚ୍ଛା ଶୀଘ୍ର ପୂରଣ ହେବାକୁ ଯାଉଛି। ସୋମବାର ଦିନ ଅନ୍ୟାନ୍ୟ ଅଭିନେତାଙ୍କ ସହିତ ଏ ଦୁଇଜଣ ସୁଟିଂ ଲାଗି ମୁମ୍ବାଇ ବିମାନବନ୍ଦରରୁ ବିଦେଶକୁ ଗସ୍ତ କରିଛନ୍ତି। ସିଦ୍ଧାର୍ଥ ନିକଟରେ ପ୍ରକାଶ କରିଛନ୍ତି ଯେ ‘ଫାଇଟର୍’ ତାଙ୍କର ପୂର୍ବ ଦୁଇଟି ଚଳଚ୍ଚିତ୍ର ଭଳି ଆକ୍ସନ୍ରେ ପରିପୂର୍ଣ୍ଣ ହେବ। ଏହା ଭାରତର ପ୍ରଥମ ବାୟବୀୟ ଆକ୍ସନ୍ ସିନେମା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏଥିରେ ଅନିଲ କପୁର ଓ କରଣ ସିଂହ ଗ୍ରୋଭର ମଧ୍ୟ ଅଭିନୟ କରିବେ। ‘ପଠାନ’ ରିଲିଜ୍ର ଠିକ୍ ଏକ ବର୍ଷ ପରେ ଅର୍ଥାତ୍ ୨୦୨୪ ଜାନୁଆରି ୨୫ରେ ଏହା ବଡ଼ ପରଦାରେ ମୁକ୍ତିଲାଭ କରିବ।