ସଂପ୍ରତି ପ୍ରସାରିତ ହେଉଥିବା ଟେଲିଧାରାବାହିକ ‘ମଧୁର ସଂସାର’ରେ ମଧୁ ଚରିତ୍ର ନିଭାଇ ଘରେ ଘରେ ପରିଚିତ ହୋଇଛନ୍ତି ଅଭିନେତ୍ରୀ
ଭକ୍ତି ଭବାନୀ ପଟ୍ଟନାୟକ। ଛୋଟ ବେଳୁ ଆଇନା ସାମ୍ନାରେ ଅଭିନୟ କରି କରି ବଡ଼ ହୋଇ କ୍ୟାମେରା ସାମ୍ନାରେ କମାଲ କରୁଥିବା ଏହି ନାୟିକା ଆଜି ଟିଭି ପରଦାରେ ଦର୍ଶକଙ୍କ ମନ ଜିଣୁଛନ୍ତି। ଏ ସପ୍ତାହରେ ଭକ୍ତିଙ୍କ ସହ ଅଳ୍ପ ଆଳାପ।
ଆପଣ ‘ଜୀ ସାର୍ଥକ’ରେ ପ୍ରସାରିତ ଧାରାବାହିକ ‘ମଧୁର ସଂସାର’ରେ ମୁଖ୍ୟ ଭୂମିକାରେ ନଜର ଅାସୁଛନ୍ତି। କ୍ୟାରିୟର୍ ଆରମ୍ଭରୁ ମୁଖ୍ୟ ଚରିତ୍ର ନିଭାଇବାର ଅନୁଭୂତି କିପରି?
ବହୁତ ଭଲ। କେବେ ଭାବି ନଥିଲି କ୍ୟାରିୟର୍ ଆରମ୍ଭରୁ ମୋତେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିବ। ଭଗବାନ ଯେତେବେଳେ ସେ ସୁଯୋଗ ଦେଇଛନ୍ତି, ମୁଁ ତାଙ୍କୁ କେବେ ବି ଅଭିଯୋଗର ସୁଯୋଗ ନଦେବା ପାଇଁ ଚେଷ୍ଟା କରିବି।
ଅଭିନେତ୍ରୀ ହେବା ପୂର୍ବରୁ କ’ଣ ହେବାର ସ୍ବପ୍ନ ଦେଖିଥିଲେ?
ଅଭିନେତ୍ରୀ ନ ହୋଇଥିଲେ ମୁଁ ଭଲ ନର୍ସଟିଏ ହୋଇଥାନ୍ତି। କାରଣ ଲୋକଙ୍କ ସେବା କରିବାକୁ ମୋତେ ଖୁବ୍ ଭଲ ଲାଗେ।
ଗ୍ଲାମର୍ କ୍ଷେତ୍ରରେ ନାଇଟ୍ ସିଫ୍ଟରୁ ନେଇ ବିଭିନ୍ନ ପ୍ରକାରର ଅସହଜ ପରିସ୍ଥିତି ଭିତରେ କାମ କରିବାକୁ ପଡ଼ିଥାଏ। ଆଜିକାଲିର ଅସୁରକ୍ଷିତ ପରିବେଶରେ ଆପଣ କିଭଳି ନିଜକୁ ସହଜ ଅନୁଭବ କରାନ୍ତି?
ମୁଁ ସର୍ବଦା ନିଜ ଉପରେ ବିଶ୍ବାସ ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ଜରୁରି ଭାବିଥାଏ। ନାଇଟ୍ ସିଫ୍ଟରେ ମୁଁ ସବୁବେଳେ ଅନେକ ଲୋକଙ୍କ ସହ ମିଶିକି ରହେ। ସର୍ବଦା ଶାରୀରିକ ଓ ମାନସିକ ସ୍ତରରେ ସକ୍ରିୟ ରହିବାକୁ ମୁଁ ଚେଷ୍ଟା କରେ; ଯେମିତି କୌଣସି ବି ପରିସ୍ଥିତିର ମୁକାବିଲା କରିପାରିବି।
ଯଦି ଭଲ ପାରିଶ୍ରମିକ ସହ ଆପଣଙ୍କୁ ଏକ ସିନେମା ଅଫର୍ ମିଳେ ତ କ’ଣ ଆପଣ ‘ମଧୁର ସଂସାର’ ଛାଡ଼ିଦେବେ?
‘ମଧୁର ସଂସାର’ ମୋ ପାଇଁ କେବଳ ଏକ ଧାରାବାହିକ ନୁହେଁ, ମୋ ଅଭିନୟ ଜୀବନର ଅନ୍ତୁଡ଼ିଶାଳ। ଯଦି କେବେ ବଡ଼ ସୁଯୋଗ ମିଳେ, ତେବେ ବି ମୁଁ ‘ମଧୁର ସଂସାର’ ଛାଡ଼ିବି ନାହିଁ।
ଏପରି ୫ଟି ଜିନିଷ କହନ୍ତୁ, ଯାହା ଆପଣଙ୍କ ହ୍ୟାଣ୍ଡ୍ ବ୍ୟାଗ୍ରେ ନିଶ୍ଚୟ ଥାଏ?
ପାଣି ବଟଲ୍, ପିପର୍ ସ୍ପ୍ରେ, ପର୍ଫ୍ୟୁମ୍, ମିଣ୍ଟ୍ସ୍ ଓ ସାନିଟାରି ନ୍ୟାପକିନ୍।
ଆପଣ ବନ୍ଧୁତ୍ବ ବଢ଼ାଇବାକୁ ଭଲପାଆନ୍ତି କି? ସୋସିଆଲ୍ ମିଡିଆ ଜରିଆରେ ବନୁଥିବା ବନ୍ଧୁମାନଙ୍କ ସଂପର୍କରେ ଆପଣଙ୍କର କି ପ୍ରକାରର ଧାରଣା?
ମୁଁ ବନ୍ଧୁ ବନାଇବାକୁ ବହୁତ ଭଲପାଏ। ସୋସିଆଲ୍ ମିଡିଆ ଦ୍ବାରା ଆଜିକାଲି ବହୁତ କଷ୍ଟ କାମ ସହଜ ହୋଇପାରୁଛି। ତେଣୁ ସୋସିଆଲ୍ ମିଡିଆରୁ ଯଦି ଉଚିତ ବନ୍ଧୁମିଳିପାରୁଛନ୍ତି ତ ତାହାଠାରୁ ଭଲ କଥା ଆଉ କିଛି ନାହିଁ।
ଜଣେ ପୁରୁଷ ଭିତରେ ନିହାତି କେଉଁ ଗୁଣ ରହିବା ଦରକାର ବୋଲି ଆପଣ ଭାବନ୍ତି?
ମୁଁ ଭାବେ ଜଣେ ପୁରୁଷ ଭିତରେ ଧୈର୍ଯ୍ୟ ନିହାତି ରହିବା ଦରକାର ।