ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଯେ ପାୱାର ଷ୍ଟାର ପବନ କଲ୍ୟାଣଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଛି। ପ୍ରଥମ ଦୁଇଟି ବିବାହ ବିଫଳ ହେବା ପରେ ପବନ କଲ୍ୟାଣ ତୃତୀୟ ବିବାହ କରିଥିଲେ। ହେଲେ ଏବେ ତାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ନଥିବା କୁହାଯାଉଛି। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ପବନ କଲ୍ୟାଣ ତୃତୀୟ ଥର ପାଇଁ ଛାଡପତ୍ର ହେବାକୁ ଯାଉଛନ୍ତି।
ପବନ କଲ୍ୟାଣ ଆନ୍ନା ଲେଜ୍ନେଭାଙ୍କୁ ତୃତୀୟ ବିବାହ କରିଥିଲେ। ଦୀର୍ଘ ଦିନ ଧରି ପବନ କଲ୍ୟାଣ ତାଙ୍କ ପତ୍ନୀ ଆନ୍ନା ଲେଜ୍ନେଭାଙ୍କ ସହ ସର୍ବସାଧାରଣରେ ନଜର ଆସି ନଥିବାରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେମାନଙ୍କ ଛାଡପତ୍ର ଖବର ପ୍ରଥମେ ଏକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ଦିଆଯାଇଥିଲା। ଏହା ପରେ ପବନ କଲ୍ୟାଣଙ୍କ ବିବାହ ଭାଙ୍ଗିବା ଖବର ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଲା। ଚ୍ୟାନେଲ ଦାବି କରିଥିଲା ଯେ, ଆନ୍ନା ଲେଜ୍ନେଭା ଏବଂ ପବନ କଲ୍ୟାଣଙ୍କ ମଧ୍ୟରେ ଛାଡପତ୍ର ମାମଲା ନାମ୍ପାଲି କୋର୍ଟରେ ଚାଲିଛି।
ଏବେ ଆନ୍ନା ପିଲାଙ୍କୁ ନେଇ ରୁଷିଆରେ ରହୁଥିବାରୁ ପବନ ଓ ତାଙ୍କ ମଧ୍ୟରେ ସବୁକିଛି ଠିକ ନଥିବା କୁହାଯାଉଛି। ଏପର୍ଯ୍ୟନ୍ତ ପବନ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।