‘ପଦ୍ମାବତ’ର ଆୟରେ ଭାଗିଦାରୀ ପାଇଁ ଦାବି କଲେ ‘ପଦ୍ମାବତ’ କବିତାର କବିଙ୍କ ଗାଆଁ ଲୋକେ

ଜୟପୁର: ‘ପଦ୍ମାବତ୍‌’ ଚଳଚ୍ଚିତ୍ରକୁ ରାଜସ୍ଥାନର କର୍ଣ୍ଣି ସେନା ଆରମ୍ଭରୁ ବିରୋଧ ପ୍ରଦର୍ଶନ କରି ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କୁ ନାକେଦମ୍‌ କରି ସାରିବା ପରେ ଏବେ ଭଂସାଲୀଙ୍କ ସମ୍ମୁଖରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ଚଳଚ୍ଚିତ୍ର ରିଲିଜ୍‌ ପରେ ଯାହା ରୋଜଗାର ହେବ ସେଥିରୁ କିଛି ପ୍ରତିଶତ ଦାବି କରିଛନ୍ତି ‘ପଦ୍ମାବତ୍‌’ କବିତାର କବି ମଲ୍ଲିକ୍‌ ମୁହମ୍ମଦ ଜୟସୀଙ୍କ ଗାଁ ଲୋକ।

photo–bollywoodhungama

ଉତ୍ତର ପ୍ରଦେଶର ଆମେଥିରେ ଥିବା ଏହି ଗ୍ରାମରେ  ବିଶ୍ୱ ପ୍ରସିଦ୍ଧ କବି ଉର୍ଦ୍ଦୁ ମଲ୍ଲିକ୍‌ ମୁହମ୍ମଦ ଜୟସୀଙ୍କ ଜନ୍ମ। ତେବେ, ‘ପଦ୍ମାବତ୍‌’ କବିତାକୁ ନେଇ ଚଳଚ୍ଚତ୍ର ନିର୍ମିତ ହୋଇଥିବାରୁ ଏହାର ଆୟରେ କବିଙ୍କ ଗାଁ ଲୋକଙ୍କ ଭାଗ ରହିଛି ବୋଲି ସେମାନେ ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେମାନେ ଦାବି କରୁଥିବା ଅର୍ଥ ନେଇ କବିଙ୍କ ଜନ୍ମସ୍ଥାନ ଏବଂ ତାଙ୍କ ଗବେଷଣା ସଂସ୍ଥାର ବିକାଶ କାର୍ଯ୍ୟରେ ନିୟୋଜିତ କରିବେ। ଆମେଥିର ଲୋକେ ଚଳଚ୍ଚିତ୍ରକୁ ନେଇ କୌଣସି ବିରୋଧ ଦେଖାଇ ନାହାନ୍ତି। ଚଳଚ୍ଚିତ୍ର ରିଲିଜ୍‌ ନେଇ ସେମାନଙ୍କର କୌଣସି ଅସୁବିଧା ନାହିଁ ମାତ୍ର ସେମାନଙ୍କ ପ୍ରାପ୍ୟ ସେମାନଙ୍କୁ ମିଳୁ ବୋଲି ଦାବି କରିଛନ୍ତି।

photo credit- india today

ଉଲ୍ଲେଖଯ୍ୟେଗ, ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଟି ବିବାଦରେ ରହିବା ପରେ ଶେଷର ଭଂସାଲୀଙ୍କ ନିର୍ମିତ ଚଳଚ୍ଚିତ୍ରକୁ ପରଦାକୁ ଆସିବାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଥିଲେ। ଚଳଚ୍ଚିତ୍ରଟି ଆସନ୍ତା ୨୫ ତାରିଖରେ ପ୍ରେକ୍ଷାଳୟମାନଙ୍କରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରକୁ ବିରୋଧ କରି ଆସୁଥିବା କର୍ଣ୍ଣି ସେନା ଶେଷରେ ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ରକୁ ଦେଖିବାକୁ ଗତ କାଲି ଆଗ୍ରହ ପ୍ରକାଶ କରିଥିଲା। ଏବେ ଜାନୁଆରି ୨୫ ତାରିଖକୁ ଦର୍ଶକମାନଙ୍କର ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର