ବହୁ ପ୍ରତୀକ୍ଷିତ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ‘ଟି’କୁ ନିକଟରେ ୟୁ/ଏ ସେନ୍ସର ସାର୍ଟିଫିକେଟ୍ ମିଳିଛି। ଫିଲ୍ମଟି ସୁଟିଂ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଥିଲା। ପୂର୍ବରୁ ଏହି ସିନେମାର ନିର୍ମାଣ ନେଇ ସେନ୍ସର ବୋର୍ଡ ପକ୍ଷରୁ ଆପତ୍ତି କରାଯାଇଥିଲା କିନ୍ତୁ ପରେ କିଛି ମାତ୍ର ଦୃଶ୍ୟକୁ ହଟାଇ ଫିଲ୍ମକୁ ମିଳିଛି ୟୁ/ଏ ସେନ୍ସର ସାର୍ଟିଫିକେଟ୍ ଏବଂ ଓଡ଼ିଶାରେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟିକୁ ମୁକ୍ତିଲାଭ ପାଇଁ ବାଟ ଫିଟିଛି। ଯଦିଓ ଫିଲ୍ମର ନିର୍ମାତା ଏହାର ରିଲିଜ୍ ନେଇ କୌଣସି ତାରିଖ ଠିକ୍ କରି କହିନାହାନ୍ତି କିନ୍ତୁ ଶୁଣାଯାଉଛି ଯେ ଚଳିତ ମେ’ ମାସ ମଧ୍ୟଭାଗରେ ପ୍ରେକ୍ଷାଳୟରେ ଏହା ରିଲିଜ୍ କରିବ।
ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଓଲିଉଡ୍ ବେଶ୍ ଚର୍ଚ୍ଚାରେ ରହିଛି। ଏହି ସମୟ ଭିତରେ ଜିତେଶ କୁମାରଙ୍କ ନିର୍ଦ୍ଦେଶିତ ‘ଟି’ ଚଳଚ୍ଚିତ୍ର ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ -୨୦୨୨ରେ ପ୍ରଦର୍ଶିତ ହୋଇ ବିଚାରକ ଏବଂ ଦର୍ଶକଙ୍କ ହୃଦୟ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣିଛି। ଦେଶରେ ସମ୍ଭବତଃ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସମାଜରେ ଟ୍ରାନ୍ସଜେଣ୍ଡର ସବୁବେଳେ ଅବହେଳିତ ଓ ନିଷ୍ପେଷିତ। ବହୁ ବାଧାବିଘ୍ନ ସତ୍ତ୍ବେ ମଧ୍ୟ ଓଡ଼ିଶାର ଟ୍ରାନ୍ସଜେଣ୍ଡର କୁହାଯାଉଥିବା ମେଘନା ଆଗକୁ ପାଦ ବଢ଼ାଇଛନ୍ତି। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ବୈବାହିକ ଜୀବନ ଯାଏ ଲମ୍ବିଛି। ତାଙ୍କୁ ଆଗକୁ ଯିବାରେ ସହଯୋଗ କରିଛନ୍ତି ତାଙ୍କ ସମ୍ପ୍ରଦାୟର କିଛି ବ୍ୟକ୍ତିବିଶେଷ। ନିର୍ଦ୍ଦେଶକ ଜିତେଶ କୁମାର ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭର ଭାବେ କାମ କରିବା ସହ ସେମାନଙ୍କ ଜୀବନଶୈଳୀକୁ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି। ସେ ଆଶାପ୍ରକଟ କରିଛନ୍ତି ଯେ ଫିଲ୍ମଟି ଅବଶ୍ୟ ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇବ।
ଜିତେଶ କୁମାର ଫିଲ୍ମସ୍ ଓ ଆରଆରଆର ମୋସନ୍ ପିକ୍ଚର୍ସ ପ୍ରଯୋଜନା ସଂସ୍ଥା ତଥା ବିଘ୍ନହର୍ତ୍ତା ମୁଭିଜ୍ର ମିଳିତ ସହଯୋଗରେ ଫିଲ୍ମଟି ନିର୍ମାଣ ହେଇଛି। ମୋହିତ କୁମାର ପୁରୀ, ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଅମ୍ରିତା ମୋହନ୍, ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ଏହା ନିର୍ମିତ ହୋଇଛି। ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କାଲ୍ସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।
ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲ୍ଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇ ସର୍ବୋତ୍ତମ ଏଲ୍ଜିବିଟି ଚଳଚ୍ଚିତ୍ର ପୁରସ୍କାର ବିଜୟ ଲାଭ କରି ଓଡ଼ିଶା ପାଇଁ ଇତିହାସ ରଚିଛି।