ଆଗରୁ ଟେଲିଧାରାବାହିକ ଓ ଟେଲିସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟିଥିବା ପିହୁ ଏବେ ସେ ବଡ଼ ପରଦାରେ ଡେବ୍ୟୁ କରୁଛନ୍ତି। ମଡେଲିଂରୁ କ୍ୟାରିୟର୍ ଆରମ୍ଭ କରିଥିବା ପିହୁ ମହାପାତ୍ର ‘ନୂଆବୋହୂ’ (ତରଙ୍ଗ), ‘ହେ ପ୍ରଭୁ’ (ଜୀ ସାର୍ଥକ) ଓ ‘ତୁ କହିବୁ ନା ମୁଁ’ (ଷ୍ଟାର୍ କିରଣ) ଭଳି ମେଗା ଧାରାବାହିକରେ ନଜର ଆସି ଲୋକପ୍ରିୟତା ହାସଲ କରିଛନ୍ତି। ପିହୁଙ୍କୁ ତରଙ୍ଗରେ ପ୍ରସାରିତ ମେଗା ଧାରାବାହିକ ‘ତୋରି ପାଇଁ ତୋ ପାଇଁ’ରେ ରୁହି ଭୂମିକାରେ ବେଶ୍ ପସନ୍ଦ କରିଥିଲେ ଦର୍ଶକ।
ପିହୁ କେବଳ ମେଗାଧାରାବାହିକରେ ନୁହେଁ, ‘ସରକାରୀ ବର’, ‘ମାଆ ଯାହାର ସାହା’, ‘ଅନାମିକା ନାୟିକା’, ‘ଡିଟେକ୍ଟିଭ୍ କରଣ ଅର୍ଜୁନ୍’ ଆଦି ଟେଲିସିନେମାରେ ମଧ୍ୟ ନାୟିକା ଭୂମିକାରେ ନଜର ଆସିଛନ୍ତି। ଏହାଛଡ଼ା ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ସବ୍ୟସାଚୀ-ତମନ୍ନା ଅଭିନୀତ ଟେଲିସିନେମା ‘ଲକିର ଲକ୍ଡାଉନ୍ ଲଭ୍ଷ୍ଟୋରିି’ରେ ମଧ୍ୟ ଅଭିନୟ କରିଥିଲେ ପିହୁ। ଏଣେ ଓଟିଟିରେ ରିଲିଜ୍ ହୋଇଥିବା ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ତୁଷାର କେ. ସିହ୍ନାଙ୍କ ନିର୍ଦ୍ଦେଶିତ ‘ହାପି ଏଣ୍ଡିଂ’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ସେ।
ଏବେ ପିହୁ ସିନେମାମୁହାଁ ହୋଇଛନ୍ତି। ସେ ଏଥିଲାଗି ସିରିଅଲ୍ରୁ ବ୍ରେକ୍ ନେଇଛନ୍ତି। ତେବେ ଯେଉଁ ସିନେମା ଜରିଆରେ ସେ ଡେବ୍ୟୁ କରୁଛନ୍ତି, ତାହା ହେଲା ‘ମନ୍ତ୍ରମୁଗ୍ଧ’। ଏହି ସିନେମାରେ କିପରି ସୁଯୋଗ ମିଳିଲା ବୋଲି ପଚାରିବାରୁ ପିହୁ କହନ୍ତି, ‘‘ମୋତେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ସାର୍ଙ୍କ ଅଫିସ୍ରୁ ଅଡିସନ୍ ପାଇଁ କଲ୍ ଆସିଥିଲା। ଅଡିସନ୍ ଦେବା ପରେ ମନୋନୀତ କରାଯାଇଥିଲା।’’ ‘ମନ୍ତ୍ରମୁଗ୍ଧ’ରେ ଏକ ଭଲ ଭୂମିକାରେ ଅଭିନୟ କରୁଛନ୍ତି ବୋଲି
ପିହୁ କହିଛନ୍ତି।