ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ବର: ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଯାଇଛନ୍ତି ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ସେ ଯାତ୍ରା କରିଥିବା ଜଣାଯାଇଛି। ସେଠାରେ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିବ। ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି। ତାଙ୍କର ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି। ଯକୃତ ପ୍ରତିରୋପଣ ପରେ ତାଙ୍କୁ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖାଯିବ। ଇତିମଧ୍ୟରେ ପିଣ୍ଟୁଙ୍କ ପାଇଁ ‌‌ଅନେକ ଦିଗରୁ ଅର୍ଥ ସହାୟତା ମିଳିବାରେ ଲାଗିଛି।

ସୂଚନାଯୋଗ୍ୟ, ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା  ଡାକ୍ତର ପିଣ୍ଟୁ ନନ୍ଦଙ୍କୁ  ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି। ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ। ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା  ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ଏଣେ ବନ୍ଧୁ ଓ ପରିବାରବର୍ଗ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଥିବାର ସୂଚନା ମିଳିଛି।

 

ଓଲିଉଡର ଲୋକପ୍ରିୟ ଅଭିନେତା  ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ  ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର,  ଦୋସ୍ତି, ପ୍ରେମ ଋତୁ ଆସିଲା ‌ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।

 

 

 

 

ସମ୍ବନ୍ଧିତ ଖବର