ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ପରେ ଏଭଳି ଟ୍ବିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ, ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଏଭଳି ଅକାଳରେ ତାଙ୍କର ପରଲୋକ ହେବା ପରେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୋକପ୍ରକାଶ କରିବା ସହ ତାଙ୍କ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଇଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ରାଜୁ ଶ୍ରୀବାସ୍ତବ ଆମ ଜୀବନକୁ ହସ, ହାସ୍ୟରସ ଏବଂ ସକରାତ୍ମକତା ସହିତ ଉଜ୍ଜ୍ୱଳ କରିଥିଲେ। ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଗଲେ। କିନ୍ତୁ ସର୍ବଦ‌ା ତାଙ୍କର ମହତ କାର୍ଯ୍ୟ ଯୋଗୁଁ ସେ ଅଗଣିତ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କ ମୃତ୍ୟୁ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା। ଓମ ଶାନ୍ତି।

ସୂଚନାଯୋଗ୍ୟ, ଜିମ୍‌ରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା। ସେ ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସାକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟାଭିନେତାଙ୍କୁ ବଞ୍ଚାଇ ହେଲାନାହିଁ।

ସମ୍ବନ୍ଧିତ ଖବର