ଅଭିନେତା ଇରଫାନଙ୍କ ମୃତ୍ୟୁ ଖବର ପାଇ ଏଭଳି ଭାବବିହ୍ୱଳ କଲା ଭଳି ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ମୁମ୍ବାଇ : ଆଜି ଦିନଟି ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତଙ୍କ ପାଇଁ କଳା ଦିନ ପାଲଟିଛି | ଆଜି ସବୁ ସିନେପ୍ରେମୀଙ୍କ ସହ ସବୁ କଳାକାରଙ୍କ ଆଖିରେ ଲୁହ ଭରି ଦେଇ ଆରପାରିକୁ ଚାଲିଯାଇଛନ୍ତି ଦିଗ୍ଗଜ ଅଭିନେତା ଇରଫାନ ଖାନ | ହଠାତ ତାଙ୍କ ବିୟୋଗ ଖବର ପାଇବା ପରେ ସାରା ଦେଶବାସୀ ଏହି ଖବରକୁ ବିଶ୍ୱାସ କରିବାକୁ ଚେଷ୍ଟା କରୁଛନ୍ତି | ବୁଧବାର ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ବଲିଉଡର ପ୍ରସିଦ୍ଧ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହୋଇଛି। ସେ ମାତ୍ର ୫୩ବର୍ଷ ବୟସରେ ଏହି ମୋହମାୟା ସଂସାରରୁ ବିଦାୟ ନେଇଛନ୍ତି ଇରଫାନ୍‌। ଆଜି ତାଙ୍କ ବିୟୋଗରେ ସମସ୍ତେ ନିଜର ଦୁଃଖ ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଇରଫାନ ଖାନଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଇରଫାନ ଖାନଙ୍କ ମୃତ୍ୟୁ ସିନେମା ଏବଂ ଥିଏଟର ଜଗତ ପାଇଁ ଏକ ବଡ କ୍ଷତି। ତାଙ୍କୁ ସର୍ବଦା ସ୍ମରଣ କରାଯିବ | ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଗଭୀର ସମବେଦନା |

ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ କହିଛନ୍ତି, ‘ଇରଫାନ୍ ଖାନଙ୍କ ମୃତ୍ୟୁ ସିନେମା ଏବଂ ଥିଏଟର ଜଗତ ପାଇଁ  ଏକ ଅପୂରଣୀୟ କ୍ଷତି। ତାଙ୍କର ବହୁମୁଖୀ ପ୍ରଦର୍ଶନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ | ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା | ତାଙ୍କର ଆତ୍ମା ଶାନ୍ତିରେ ରହୁ। ‘

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ନିଜର ସମବେଦନା ଜଣାଇଛନ୍ତି | ଟୁଇଟରେ, ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ | ସେ ଜଣେ ପ୍ରଫୁଲ୍ଲ ଚିତ୍ତାକର୍ଷକ ଅଭିନେତା ଥିଲେ ଏବଂ ସାରା ବିଶ୍ୱର ସିନେମା ପ୍ରେମୀମାନେ ତାଙ୍କୁ ଏବେ ସବୁ ଦିନ ପାଇଁ ମନେ ପକାଇବେ | ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ସେହି ଭଳି ଦିଗ୍ଗଜ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରି ଖାନଙ୍କ ପରିବାର ପ୍ରତି ସମବେଦନା ଜଣାଇ କହିଛନ୍ତି ଯେ, ଇରଫାନ ଖାନ ବିଶ୍ୱ ସିନେମା ଏବଂ ଟିଭି ଜଗତ ପାଇଁ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ଥିଲେ। ଦେଶ ଆଜି ଜଣେ ଅତୁଳନୀୟ ଅଭିନେତାଙ୍କୁ ହରାଇଛି। ତେବେ କେବଳ ରାହୁଲ ଗାନ୍ଧୀ ନୁହନ୍ତି ଅନେକ ସେଲିବ୍ରିଟିମାନେ ମଧ୍ୟ ଟୁଇଟ କରି ଦିବଂଗତ କଳାକାର ଇରଫାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର