୩୧ଲକ୍ଷ ଟଙ୍କା ନଦେବାରୁ ବଲିଉଡ ଅଭିନେତା ନୱାଜୁଦ୍ଦିନଙ୍କ ପତ୍ନୀଙ୍କ ବିରୋଧରେ ଏତଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ବିରୋଧ‌ରେ ଏତଲା ରୁଜୁ। ଠକେଇ ଅଭିଯୋଗରେ ଅଭିନେତାଙ୍କ ପତ୍ନୀଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆଲିଆଙ୍କ ବିରୋଧରେ ଏହି ଅଭିଯୋଗ ତାଙ୍କ ପ୍ରଯୋଜନା ସଂସ୍ଥ‌ା ‘ହୋଲି କାଓ’ ର କ୍ରିଏଟିଭ ହେଡ୍ ତଥା ସହ-ପ୍ରଯୋଜିକା ମଞ୍ଜୁ ଗଢ଼ୱାଲଙ୍କ ଦ୍ବାରା କରାଯାଇଛି। ମଞ୍ଜୁ ଅଭିଯୋଗ କରିଛନ୍ତି ଯେ ଆଲିଆ ତାଙ୍କୁ ୩୧ଲକ୍ଷ ଦେବାକୁ ମନା କରି ଦେଇଛନ୍ତି। ସେ ଏହି ଟଙ୍କା ଫିଲ୍ମରେ ବିନିଯୋଗ କରିଥିଲେ। କିନ୍ତୁ, ଯେତେବେଳେ ମଞ୍ଜୁ ଆଲିଆଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ, ସେତେବେଳେ ସେ ତାଙ୍କ ଫୋନନ ଉଠାଇ ନଥିଲେ।

ଅନେକ ଥର ଟଙ୍କା ମାଗିବା ପରେ ମଧ୍ୟ ଆଲିଆ ମଞ୍ଜୁକୁ ତାଙ୍କ ଟଙ୍କା ଫେରସ୍ତ ନକରିବାରୁ ମଞ୍ଜୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟଙ୍କା ନଦେବା ସହ ଆଲିଆ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି ମଞ୍ଜୁ ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ମଞ୍ଜୁ ଗଢ଼ୱାଲ କହିଛନ୍ତି ଯେ, ଆଲିଆ ଏବଂ ମୁଁ ୨୦୦୫ଠାରୁ ପରସ୍ପରକୁୁ ଜାଣିଥିଲୁ ଏବଂ ସେ ମୋର ଭଲ ବନ୍ଧୁ ଥିଲେ। ସେ ସବୁବେଳେ ଫିଲ୍ମ ନିର୍ମାତା ହେବାକୁ ଚାହୁଁଥିଲେ। ଯେତେବେଳେ ଆମେ ପ୍ରଯୋଜନା ସଂସ୍ଥ‌ା ‘ହୋଲି କାଓ’ ଆରମ୍ଭ କଲୁ ସେ ମୋତେ କ୍ରିଏଟିଭ କାମ ସମ୍ଭାଳିବାକୁ କହି ନିଜେ ଆର୍ଥିକ କାରବାର କଥା ସମ୍ଭାଳିଥିଲେ। ମୁଁ ପ୍ରୋଜେକ୍ଟ ପାଇଁ କାଷ୍ଟିଂ କଲି, କିନ୍ତୁ ସେମାନଙ୍କୁ କଳାକାରଙ୍କୁ ଦିଆଯାଇଥିବା ଚେକ୍ ବାଉନ୍ସ ହୋଇଗଲା। ଆଲିଆ କହିବାରୁ ମୋ ବାପା ମଧ୍ୟ ଏହି ପ୍ରଯୋଜନା ସଂସ୍ଥ‌ାରେ ଟଙ୍କା ବିନିଯୋଗ କରିଥିଲେ। ଆଲିଆ ଜାଣିଥିଲେ ଯେ ମୋ ବାପା ଉଜୈନରେ ଥିବା ଘର ବିକ୍ରି କରୁଛନ୍ତି। ଏ ବିଷୟରେ ଜାଣି ସେ ମୋ ବାପାଙ୍କୁ ନିଜ କଥାରେ ଫସାଇ ଟଙ୍କା ଋଣ ଆକାରରେ ନେଇଥିଲେ। ସେ ଗୋଟିଏ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି କହି ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରିନାହାଁନ୍ତି।

ସମ୍ବନ୍ଧିତ ଖବର