ଦିଲ୍ଲୀ ପ୍ରଦୂଷଣକୁ ନେଇ ମୁହଁ ଖୋଲିଲେ ବଲିଉଡ ସେଲିବ୍ରିଟି

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି ବାୟୁ ପ୍ରଦୂଷଣ । ଗତ କିଛି ବର୍ଷର ରେର୍କଡ ଭାଙ୍ଗି ଏବେ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଇଛି ପ୍ରଦୁଷଣ । ଦିଲ୍ଲୀ ସହ ନୋଏଡା, ଗୁରୁଗାଓଁ, ଫରିଦାବାଦ, ଗାଜିଆବାଦରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି । ସାଧରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ସମସ୍ୟାକୁ ନେଇ ନାକେଦମ ହେଲେଣି । ଏବେ ରାଜଧାନୀର ଏହି ବିରାଟ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତିି ବଲିଉଡ ସେଲିବ୍ରେଟି ।ନିଜ ନିଜ ଟୁଇଟର ଓ ଇନଷ୍ଟାଗ୍ରାମ ପେଜରେ ଏହାକୁ ନେଇ ସେଲିବ୍ରେଟି ମାନେ ଚିନ୍ତାପ୍ରକାଶ କରିଛନ୍ତି । ଅଭିନେତ୍ରୀ ଦିୟା ମୀର୍ଜା ଲେଖିଛନ୍ତି ଏହି ବିରାଟ ସମସ୍ୟାର ସମାଧାନ ପାଇଁ କାହିଁକି କୌଣସି ବଡ ପଦକ୍ଷେପ ନିଆଯାଉନି ।

ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦେବା ଅଧିକ ଜରୁରୀ ହୋଇପଡିଥିବା ଦିୟା କହିଛନ୍ତି । ସେହିପରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନୋସ ଏକ ମାସ୍କ ପିନ୍ଧିଥିବା ଫଟୋକୁ ପୋଷ୍ଟ କରିବା ସହ ଦିଲ୍ଲୀବାସୀଙ୍କ ସୁରକ୍ଷା କାମନା କରିଛନ୍ତି । ଏଭଳି ସ୍ଥିତିରେ ଦିଲ୍ଲୀବାସୀ କିପରି ରହୁଛନ୍ତି ସେ କଥା କଳ୍ପନା କରିପାରୁନଥିବା କହିଛନ୍ତି ପ୍ରିୟଙ୍କା ଚୋପ୍ରା । ଅଭିନେତା ହର୍ଷବର୍ଦ୍ଧନ କପୁର ଏକ ମ୍ୟାପକୁ ପୋଷ୍ଟ କରିଛନ୍ତି ଓ ଲେଖିଛନ୍ତି ଯଦି ଦିଲ୍ଲୀରେ ଅବସ୍ଥା ଏଭଳି ରହିବ ତେବେ ଦେଶର ଭବିଷ୍ୟତ କଣ ରହିବ । ହର୍ଷବର୍ଦ୍ଧନଙ୍କ ଭଉଣୀ ତଥା ଅଭିନେତ୍ରୀ ସୋନମ କପୁର ମଧ୍ୟ ଦିଲ୍ଲୀ ବାୟୁପ୍ରଦୁଷଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଇଣ୍ଡିଆ ଗେଟରେ ଦୁଇଜଣ ବ୍ୟକ୍ତି ମାସ୍କ ପିନ୍ଧି ଛିଡା ହୋଇଥିବା ଫଟୋକୁ ଟୁଇଟ କରି ଏହି ସମସ୍ୟା ସମାଧାନ ଶୀଘ୍ର କରାଯିବା ଜରୁରୀ ବୋଲି ମତ ରଖିଛନ୍ତି ସୋନମ ।

ଜଣାଶୁଣା ଫିଲ୍ମ ମେକର ଶେଖର କପୁର ନିଜ ପିଲାଦିନ କଥାକୁ ମନେ ପକାଇ କହିଛନ୍ତି ସେଦିନର ଖୋଲା ପବନ,ଆକାଶ ଆଜିର ଦିନରେ ହଜିଯାଇଛି । ଆଜିର ଦିନରେ ଦିଲ୍ଲୀର ଏ କି ଅବସ୍ଥା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଶେଖର କପୁର । ଅଭିନେତ୍ରୀ ସ୍ୱରା ଭାସ୍କର ଦିଲ୍ଲୀ ବାୟୁପ୍ରଦୁଷଣକୁ ରେର୍କଡ କରି ଏହାର ଫଟୋକୁ ପୋଷ୍ଟ କରିଛନ୍ତି । ଧୁଆଁଳିଆ ରାଜଧାନୀରେ ଜୀବନଯାପନ କଷ୍ଟକର ହୋଇପଡିଥିବା କହିଛନ୍ତି ସ୍ୱରା । ସେହିଭଳି ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଟୁଇଟ କରି ଦିଲ୍ଲୀ ବାୟୁ ପ୍ରଦୁଷଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି ଦିଲ୍ଲୀବାସୀଙ୍କ ଜୀବନ ଏବେ ବିପଦରେ । ଦିଲ୍ଲୀ ବିମାନବନ୍ଦରରେ ମାସ୍କ ପିନ୍ଧା ଫଟୋ ଉଠାଇବା ସହ ପୋଷ୍ଟ କରିଛନ୍ତି ଡ୍ରେସ ଡିଜାଇନର ମନିଷ ମାଲୋହୋତ୍ରା । ଦିଲ୍ଲୀର ଭବିଷ୍ୟତ ଆଗକୁ କଣ ହେବ ଏବେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି |

ସମ୍ବନ୍ଧିତ ଖବର