ମୁମ୍ବାଇ: ବହୁ ବର୍ଷର ପରିଶ୍ରମ ପରେ ଭାରତର ଲୋକପ୍ରିୟ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଗଣାଯାଉଥିବା ମଣି ରତ୍ନମ୍ ତାମିଲ ଉପନ୍ୟାସ 'ପୋନିୟିନ୍ ସେଲଭନ୍'କୁ ପରଦାରେ ଉପସ୍ଥାପନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି ଯେଉଁଥିରେ ଚିଆନ ବିକ୍ରମ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କାର୍ତ୍ତି, ଜୟମ ରବି, ତ୍ରିଶାଙ୍କ ଭଳି ବଡ ନାମ ଅନ୍ତର୍ଭୁକ୍ତ। ଭାରତୀୟ ଇତିହାସର ଅନ୍ୟତମ ଗୌରବମୟ ସାମ୍ରାଜ୍ୟ ଚୋଳ ସାମ୍ରାଜ୍ୟ ଉପରେ ଆଧାରିତ ଏହି କାହାଣୀ ସମାଲୋଚକ ଏବଂ ପ୍ରଶଂସକଙ୍କ ହୃଦୟ ଜିତିଛି।

Advertisment

ରିଲିଜର ୩ଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟି ଆୟ କରିଥିବା ବେଳେ ଭାରତ ବାହ‌ାରେ ମଧ୍ୟ ଲୋକେ ଏହାକୁ ପସନ୍ଦ କରୁଥିବା ଦେଖାଯାଉଛି। ବିଶ୍ବସ୍ତ‌ରରେ ଫିଲ୍ମଟି ପ୍ରାୟ ୨୨୫କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ବ୍ରିଟେନର ବକ୍ସ ଅଫିସରେ 'ପୋନିୟିନ୍ ସେଲଭନ୍ -୧' ପ୍ରଥମ ସପ୍ତାହ ଶେଷରେ ୭୪୩ହଜାର ପାଉଣ୍ଡରୁ ଅଧିକ ସଂଗ୍ରହ କରିଛି। ଏହି ଆୟ ସହିତ ଚଳଚ୍ଚିତ୍ରଟି ବ୍ରିଟେନରେ ଫିଲ୍ମ ଆରଆରଆର ଓ ଫିଲ୍ମ କେଜିଏଫ-୨କୁ ପଛରେ ପକାଇଛି।

୧. 'ପୋନିୟିନ୍ ସେଲଭାନ୍ -୧' -୭୪୩ ହଜାର ପାଉଣ୍ଡ।
୨. 'ଆରଆରଆର' - ୬୫୦ହଜାର ପାଉଣ୍ଡ।
୩. 'କେଜିଏଫ-୨' - ୫୮୯ହଜାର ପାଉଣ୍ଡ।
୪. 'ବ୍ରହ୍ମାସ୍ତ୍ର' - ୫୧୬ହଜାର ପାଉଣ୍ଡ।
୫. 'ବିଷ୍ଟ' - ୫୦୫ହଜାର ପାଉଣ୍ଡ।

ତେବେ, ‘ପୋନିୟିନ୍ ସେଲଭାନ୍ -୧’ ପ୍ରଥମ ଦିନରେ କେବଳ ତାମିଲନାଡୁରୁ ୨୫.୮୬ କୋଟି ଟଙ୍କା ଆୟ କରିଥିଲା। ଏହି ରୋଜଗାର ସହିତ ‘ପୋନିୟିନ୍ ସେଲଭାନ୍ -୧’ ତାମିଲନାଡୁ ରାଜ୍ୟରେ ୨୦୨୨ମସିହାର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବନିପାରିଥିଲା। ରିଲିଜର ପ୍ରଥମ ଦିନରେ ତାମିଲନାଡୁରେ ୩୬.୧୭ କୋଟି ଟଙ୍କା ଆୟ କରି ପ୍ରଥମ ସ୍ଥାନରେ ଅଜିତ କୁମାରଙ୍କ ଫିଲ୍ମ ‘ବଲିମାଇ’ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ବିଜୟଙ୍କ ଫିଲ୍ମ ‘ବିଷ୍ଟ’, ଯାହା ରିଲିଜର ପ୍ରଥମ ଦିନର ୨୬.୪୦ କୋଟି ଟଙ୍କା ଆୟ କରିଥିଲା।