ମୁମ୍ବାଇ: ଗତବର୍ଷ ପଡ଼ ପରଦାରେ ଦେଖିବାକୁ ମିଳିଥିବା ଚୋଲ୍ ସାମ୍ରାଜ୍ୟର ‘ପୋନିୟିନ୍ ସେଲ୍ଭନ୍’ର ପ୍ରଥମ ଭାଗ ଜବରଦସ୍ତ ହିଟ୍ ହୋଇଥିଲା। ‘ପୋନିୟିନ୍ ସେଲ୍ଭନ୍-୧’ ବିଶ୍ବ ସ୍ତରରେ ୫୦୦ କୋଟି ଟଙ୍କାର ବେପାର କରିଥିଲା। ‘ପୋନିୟିନ୍ ସେଲ୍ଭନ୍-୨’ରୁ ବି ସେହି ଧରଣର ରୋଜଗାର ଆଶା କରାଯାଉଛି। ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ରିଭ୍ୟୁ ବହୁତ ଭଲ ମିଳିଛି। ହେଲେ ରୋଜଗାର ହିସାବରେ ଦେଖିବାକୁ ଗଲେ ଦ୍ବିତୀୟ ଭାଗ ପ୍ରଥମ ଭାଗର ପ୍ରାରମ୍ଭ ବେପାରଠାରୁ ଟିକେ ପଛରେ ରହିଛି।
ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୬୧.୫୩ କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୨୬ କୋଟି ଟଙ୍କାର ବେପାର କରିଛି। ତେବେ ଫିଲ୍ମଟିର ବିଶ୍ବ ସ୍ତରୀୟ ରୋଜଗାର ୧୦୦ କୋଟିରୁ ଊର୍ଧ୍ବ ଛୁଇଁଛି।
ଫିଲ୍ମଟି ରିଲିଜ ହୋଇ ସାରିଥିବା ବେଳେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସ୍ବାମୀ ଅଭିଷେକ ବଚ୍ଚନ ‘ପୋନିୟିନ୍ ସେଲ୍ଭନ-୨’ର ପୂରା ଟିମ୍କୁ ଶଭେଚ୍ଛା ବାର୍ତ୍ତା ଦେବା ସହ ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ବିଶେଷ ଅଭିନନ୍ଦନ ଜଣାଇ ଏକ ଟ୍ବିଟ୍ କରିଥିଲେ। ତାହାର ଉତ୍ତରରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଏବେ ଆପଣ ଅରାଧ୍ୟଙ୍କ ଦାୟିତ୍ବ ଗ୍ରହଣ କରି ଐଶ୍ବର୍ଯ୍ୟାଙ୍କୁ ଅଧିକ ଫିଲ୍ମ ସ୍ବାକ୍ଷର କରିବାର ସୁଯୋଗ ଦିଅନ୍ତୁ’। ଏହାକୁ ରି-ଟ୍ବିଟ୍ କରି ଅଭିଷେକ ଯାହା ଲେଖିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ସେ ଲେଖିଛନ୍ତି, ‘ତାଙ୍କୁ ସ୍ବାକ୍ଷର କରିବାକୁ ଦେବି? ସାର୍, ସେ କିଛି ବି କରିବାକୁ ମୋର ଅନୁମତି ଆବଶ୍ୟକ କରନ୍ତି ନାହିଁ, ବିଶେଷ କରି ସେ ଭଲପାଉଥିବା କାମ କରିବାକୁ ତ ଆଦୌ ବି ନୁହେଁ।’