ମୁମ୍ବାଇ: ମୋ ପିତା-ମାତାଙ୍କ ପ୍ରେମ ସମ୍ପର୍କକୁ ନେଇ ନିର୍ମାଣ ହୋଇଥିଲା ଆଶିକି। ରିୟାଲିଟି ସୋ’ ବିଗ୍ ବସ୍ ଓଟିଟି-୨ରେ ସହ-ପ୍ରତିଯୋଗୀ ବେ‌ବିକାଙ୍କ ସହ କଥା ହେବା ପରେ ଅଭିନେତ୍ରୀ ପୂଜା ଭଟ୍ଟ ଏହି ଖୁଲାସା କରିଥିଲେ। ତାଙ୍କ ପିତାମାତା ମହେଶ ଭଟ୍ଟ ଏବଂ କିରଣ ଭଟ୍ଟଙ୍କ ପ୍ରେମ କାହାଣୀ ବିଷୟରେ କହିବା ସହ ୧୯୯୦ରେ ରିଲିଜ୍ ହୋଇଥିବା ଫିଲ୍ମ ଆଶିକି ତାଙ୍କ ପିତାମାତାଙ୍କ ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବା କହିଥିଲେ ପୂଜା। ଏମିତି କି ସେ ଦୁହିଁଙ୍କ ପ୍ରେମ କାହାଣୀ କିଭଳି ଆରମ୍ଭ ହେଲା ତାହା ମଧ୍ୟ ଜଣାଇଥିଲେ।

Advertisment

ରିୟାଲିଟି ସୋ’ ସମୟରେ ପୂଜା ଭଟ୍ଟ ପ୍ରକାଶ କରିଥିଲେ ଯେ ତାଙ୍କ ମା’ କିରଣ ଭଟ୍ଟ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଥିଲେ ଏବଂ ତାଙ୍କ ପିତା ମହେଶ ଭଟ୍ଟ ସେହି ବିଦ୍ୟାଳୟ ସାମ୍ନାରେ ରହୁଥିଲେ। ଥରେ ମହେଶ କ୍ରୀଡା ଦିବସରେ ଯୋଗଦେବା ପାଇଁ ବିଦ୍ୟାଳୟକୁ ଯାଇଥିବା ବେଳେ କିରଣଙ୍କୁ ଦୂରରୁ ଦେଖି ତାଙ୍କୁ ଭଲ ପାଇବସିଥିଲେ। ସେହି ଦିନ ସନ୍ଧ୍ୟାରେ ସେ କିରଣଙ୍କୁ ଖୋଜିବା ପାଇଁ ବିଦ୍ୟାଳୟର କାନ୍ଥରୁ ଡେଇଁଥିବା ବେଳେ ଧରାପଡିଯାଇଥିଲେ। ପ୍ରିନ୍ସିପାଲ୍ କିରଣଙ୍କ ମା’ଙ୍କୁ ଡାକି ସବୁ ଜଣାଇବା ପରେ କିରଣଙ୍କ ମା’ ମହେଶଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ, ଯଦି ତୁମେ ଏତେ ବଡ ଏବଂ ମୋ ଝିଅକୁ ଭେଟିବା ପାଇଁ କାନ୍ଥ ଉପରକୁ ଚଢ଼ି ପାରୁଛ, ତେବେ ତୁମେ ମୋ ଝିଅର ଦାୟିତ୍ବ ଗ୍ରହଣ କରିବ କି? ବୟସ କମ ହୋଇଥିଲେ ବି ମହେଶ ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହୋଇଥିଲେ। ସେବେଠାରୁ ସେ କିରଣଙ୍କ ଦାୟିତ୍ୱ ଗ୍ରହଣ କରିବା ସହ ତାଙ୍କୁ କେବେ ବି ଏକୁଟିଆ ଛାଡ଼ି ନଥିଲେ ବୋଲି ପୂଜା, ବେବିକାଙ୍କୁ କହିଥିଲେ।"