ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମ୍ପମ୍ ଏବେ ସୁସ୍ଥ ଥିବା ଖବର ତ ସମସ୍ତଙ୍କୁ ଜଣା। ହେଲେ ତାଭିତରେ ବି ସେ ପରଦାରେ ପୁଣି ହସାଇବାକୁ ଆସୁଛନ୍ତି । ଗତ ରଜରେ ଦର୍ଶକଙ୍କୁ ପପୁ ପମ୍ପମ୍ ହସାଇ ହସାଇ ବେଦମ କରିଥିଲେ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ସିନେମାରେ।
ତେବେ ସେ ଯାହା ହେଉ ନା କାହିଁକି ପପୁଙ୍କର ଅନ୍ୟ ଏକ ସିନେମା ଖୁବ୍ ଶୀଘ୍ର ରିଲିଜ୍ ହେଉଥିବାର ଖବର ମିଳିଛି। ଏହି ସିନେମାରେ ପୁଣି ଦର୍ଶକଙ୍କ ସାମ୍ନାକୁ ଆସିବେ ପପୁ ପମ୍ପମ୍। ଏଠାରେ ଯେଉଁ ଓଡ଼ିଆ ସିନେମା କଥା କୁହାଯାଉଛି, ତାହା ହେଲା ‘ଟୋକାଟା ଫସିଗଲା’।
ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’ରେ ପପୁ ପମ୍ପମ୍ଙ୍କୁ ଜଣେ ବିବାହିତ ଯୁବକ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ସ୍ତ୍ରୀ ଭୂମିକା ନିଭାଇଛନ୍ତି ଲିପ୍ସା ମିଶ୍ର।
ପପୁ ଓ ଲିପ୍ସାଙ୍କ ଯୋଡିକୁ ଦର୍ଶକ ଆଗରୁ କେବଳ ଗୋଟିଏ ସିନେମାରେ ଦେଖିବାକୁ ପାଇଛନ୍ତି। ଏହା ହେଲା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ପିଲାଟା ବିଗିଡ଼ି ଗଲା’। ଏଥିରେ ପପୁ ଓ ଲିପ୍ସାଙ୍କ ଜବରଦସ୍ତ କେମିଷ୍ଟ୍ରି ଥିଲା, ଯାହାକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଥିଲେ। ଖାଲି ସେତିକି ନୁହେଁ ଏହି ଯୋଡ଼ି ହିଟ୍ ହେବା ସାଙ୍ଗକୁ ଫିଲ୍ମଟା ବି ସୁପରହିଟ୍ ହୋଇଥିଲା।ନିଜର ପୁରୁଣା ପାର୍ଟନରଙ୍କ ସହ ଯୋଡି ବନାଇ ପପୁ ଏଥର କମାଲ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା।