ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ପ୍ରତୀକ୍ଷା’ର ପୋଷ୍ଟର ଲଞ୍ଚ ହେଲା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ପ୍ରତୀକ୍ଷା’ର ପୋଷ୍ଟର ଲଞ୍ଚ ହୋଇଛି। ଗତକାଲି ପବିତ୍ର ବିଜୟାଦଶମୀ ଅବସରରେ ଏହାକୁ ରିଲିଜ୍ କରାଯାଇଛି। ଏହି ପୋଷ୍ଟରରେ ନାୟକ ଦୀପନ୍ବିତ ଦାସମହାପାତ୍ର ଓ ବରିଷ୍ଠ ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସଙ୍କୁ ଦେଖିବାକୁ ମିଳିଛି। ଆଗାମୀ ୧୯ ତାରିଖରେ ଫିଲ୍ମର ଟ୍ରେଲର ଓ ଅଡିଓ ରିଲିଜ୍ କରାଯିବ ବୋଲି ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ‘ପ୍ରତୀକ୍ଷା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି।


ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଗୀତ ରଚନା କରିଛନ୍ତି। ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ହ୍ୟୁମାନ ସାଗର, ବିଶ୍ବଜିତ ମହାପାତ୍ର ଓ ବିଭାସ ରଥ। ଦୀପକ କୁମାର ‘ପ୍ରତୀକ୍ଷା’ର ସିନେମାଟୋଗ୍ରାଫି ଦାୟିତ୍ବ ସମ୍ଭାଳି ଛନ୍ତି । ଦେବେନ ମିଶ୍ର ସଂପାଦନା ଦାୟିତ୍ବ ନିର୍ବାହ କରିଛନ୍ତି।
‘ପ୍ରତୀକ୍ଷା’ ଆଗାମୀ ଡିସେମ୍ବର ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର