କରଣ ଜୋହରଙ୍କ ସହ ପ୍ରେମ ସଂପର୍କକୁ ନେଇ ପ୍ରତିକ୍ରିୟା ରଖିଲେ ଡିଜାଇନର : ମୁଁ ତାଙ୍କୁ ଭଲପାଏ, କିନ୍ତୁ…

ମୁମ୍ବାଇ : ବଲିଉଡ୍‌ର ଷ୍ଟାଇଲିସ୍‌ ନିର୍ଦ୍ଦେଶକ-ଆର୍‌ଜେ-ପ୍ରଯୋଜକ କରଣ ଜୋହରଙ୍କୁ ନେଇ ଗତକାଲି ଏକ ଖବର ସାମ୍ନାକୁ ଆସିଥିଲା । ଏତେ ଦିନ ପରେ କରଣ ଜୋହର ଜଣେ ଡିଜାଇନରଙ୍କୁ ଡେଟ୍‌ କରୁଥିବା ନେଇ ଖବର ମିଳିଥିଲା । ସୋସିଆଲ ମିଡିଆରେ ଡିଜାଇନର ପ୍ରବଳ ଗୁରଙ୍ଗ କରଣଙ୍କୁ ଖାସ୍‌ ଶୁଭେଚ୍ଛା ଦେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏଭଳି ଖବର ପ୍ରସାର ହେଉଥିବା ଜାଣି ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରବଳ ଗୁରଙ୍ଗ ।

ଟୁଇଟ୍‌ କରି, ମୁଁ କରଣ ଜୋହରଙ୍କୁ ଡେଟ୍‌ କରୁ ନାହିଁ । ସେ ମୋର ଗୁରୁ, ସାଙ୍ଗ ଏବଂ ବଡ଼ ଭାଇ ଭଳି । ମୋର ଅନୁରୋଧ ଆପଣମାନେ ମୋର ୨ପୃଷ୍ଠାର ନୋଟ୍‌ ପଢ଼ନ୍ତୁ । ଆଶା କରୁଛି ଆପଣମାନେ ବୁଝି ପାରିବେ ବୋଲି ଲେଖିଛନ୍ତି ପ୍ରବଳ ଗୁରଙ୍ଗ ।

ସେୟାର କରାଯାଇଥିବା ନୋଟ୍‌ରେ, ଆମେ ମାନେ କ’ଣ ଥଟ୍ଟା ମଜା କରି ପାରିବୁ ନାହିଁ । କରଣଙ୍କ ସହ ମୋର କୌଣସି ରୋମାଣ୍ଟିକ ସଂପର୍କ ନାହିଁ । ମୁଁ ଯେଉଁ ଫଟୋ ସେୟାର କରିଥିଲି, ତାହା କେବଳ ଆମ ଦୁହିଁଙ୍କ ଥଟ୍ଟା ମଜା କରିବାର ଫଟୋ । କିନ୍ତୁ ମୋର ଏହି ପୋଷ୍ଟକୁ ଲୋକେ ଭୁଲ ବୁଝି ଏଭଳି ପ୍ରଚାର ଆରମ୍ଭ କରିଛନ୍ତି । କରଣ ମୋତେ ମୋର ଖରାପ ସମୟରେ ଅନେକ ସାହାଯ୍ୟ କରିଛନ୍ତି । ଯାହା ପାଇଁ ମୁଁ ତାଙ୍କୁ ଜଣେ ଭଲ ବନ୍ଧୁ ହିସାବରେ ଭଲପାଏ । କିନ୍ତୁ ଆମ ଭଲ ପାଇବାକୁ ଲୋକେ ଭୁଲ ବୁଝିନେଲେ । ମୁଁ ୫ବର୍ଷହେଲାଣି ଜଣଙ୍କ ସହ ପ୍ରେମ ସଂପର୍କରେ ରହିଛି । କିନ୍ତୁ କରଣଙ୍କ ସହ ନୁହେଁ, ଅନ୍ୟ ଜଣଙ୍କ ସହ । ଦୁନିଆରେ କେବଳ ଗୋଟେ ପ୍ରକାରର ଭଲ ପାଇବା ନାହିଁ । ବିଭିନ୍ନ ସଂପର୍କ ସହ ବିଭିନ୍ନ ଭଲ ପାଇବା ରହିଛି ବୋଲି ଲେଖିଛନ୍ତି ପ୍ରବଳ ।

ସୂଚନା ମୁତାବକ, କରଣଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ଯାଇ ଗୁରଙ୍ଗ ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରେ ଦୁହେଁ ଅତି ନିକଟତର ଥିବା ଦେଖାଯାଇଥିଲା । ଫଟୋ ସେୟାର କରାଯିବା ସହ କ୍ୟାପ୍‌ସନରେ ‘ପ୍ୟାର୍‌ କିଆ ତୋ ଡ଼ରନା କ୍ୟା’ ଲେଖାଯାଇଥିଲା । ଯାହାକୁ ଦେଖି ଦୁହେଁ ପ୍ରେମ ସଂପର୍କରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର