ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଏବଂ ହୋମ୍ବଲେ ଫିଲ୍ମ ଏବେ ୩ଟି ଫିଲ୍ମ ପାଇଁ ହାତ ମିଳାଇଛନ୍ତି,ଯାହା ଗୋଟିଏ ପରେ ଗୋଟିଏ ମୁକ୍ତିଲାଭ କରିବ | ଗତ କିଛି ବର୍ଷ ହେବ ପ୍ରଭାସ ଲଗାତାର ଫ୍ଲପ ଦେଉଥିଲେ ବି ହୋମ୍ବଲେ ଏହି ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 'କେଜିଏଫ୍ ପାର୍ଟ-୧', 'କେଜିଏଫ୍ ପାର୍ଟ- ୨', 'କାନ୍ତାରା' ଏବଂ 'ସାଲାର୍' 'ଭଳି ବ୍ଲକବଷ୍ଟର ଦେବା ପରେ ଏବେ ପ୍ରଭାସଙ୍କ ସହ ଆଉ ୩ଟି ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଛି ହୋମ୍ବଲେ ଫିଲ୍ମସ।
ଏହି ସହଭାଗୀତା ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସଲାର୍ ପାର୍ଟ ୨’ ରୁ ଆରମ୍ଭ ହୋଇଛି। ଏହି ବଡ ଖବର ବିଷୟରେ ଘୋଷଣା କରି ହୋମ୍ବଲେ ଫିଲ୍ମର ପ୍ରତିଷ୍ଠାତା ବିଜୟ କିରାଙ୍ଗଦୂର କହିଛନ୍ତି, “ହୋମ୍ବଲରେ, ଆମେ କାହାଣୀକୁ ଅଧିକ ଗୁରୁତ୍ବ ଦେଉ। ପ୍ରଭାସଙ୍କ ସହ ଭଲ କାହାଣୀକୁ ନେଇ ଫିଲ୍ମ କରିବା ସହ ଆମେ ଦର୍ଶକଙ୍କୁ ଅନୁପ୍ରାଣିତ ଓ ତାଙ୍କ ମନୋରଞ୍ଜନ କରିବୁ। ”
ନିର୍ମାତାମାନେ କହିଛନ୍ତି ଯେ, ହୋମ୍ବଲେ ଫିଲ୍ମସ ହେଉଛି ଏକମାତ୍ର ଏଭଳି ପ୍ରଯୋଜନା ସଂସ୍ଥା ଯିଏ ସମସ୍ତ ଭାଷାରେ ବ୍ଲକବଷ୍ଟର ଫିଲ୍ମ ଦର୍ଶକଙ୍କୁ ଦେଉଛି। ଯେପରିକି କନ୍ନଡରେ 'କେଜିଏଫ୍' ଏବଂ 'କାନ୍ତାରା', ତେଲୁଗୁ ଭାଷାରେ 'ସାଲାର୍', ତାମିଲରେ 'ରଘୁ ଥାଥା' ଏବଂ ମାଲାୟାଲମରେ 'ଧୁମମ' ଅନ୍ତର୍ଭୁକ୍ତ। ତେବେ ହୋମ୍ବଲେ ସହ ହାତ ମିଳାଇବା ପରେ କିଛି ବର୍ଷ ଧରି ଚାଲିଥିବା ପ୍ରଭାସଙ୍କ ଫ୍ଲପ କ୍ୟାରିୟରରେ ସୁଧାର ଆସିବ ବୋଲି ଆଶା କରାଯାଉଛି।