ହାଇଦ୍ରାବାଦ: ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟରେ ଫୁଟିବ ୫୦ଲକ୍ଷର ବାଣ। ଜୁନ୍ ୧୬ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେ‌‌ଳେ ଏବେ ଏଭଳି ଖବର ସାମ୍ନାକୁ ଆସିଛି। ଆଜି ତିରୁପତିରେ ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହେବ। ତିରୁପତିଠାରେ ଆଦିପୁରୁଷ ପାଇଁ ସ୍ୱତନ୍ତ୍ର ଟ୍ରେଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଏହି ଇଭେଣ୍ଟ ପାଇଁ ନିର୍ମାତା ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।

Advertisment

ସୂଚନା ମୁତାବକ, ଅଦିପୁରୁଷ ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ତିରୁପତି ଶ୍ରୀ ଭେଙ୍କଟେଶ୍ବର ବିଶ୍ୱବିଦ୍ୟାଳୟ (ଏସଭିୟୁ) ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଭାସ ଓ କ୍ରିତିଙ୍କ ହଜାର ହଜାର ପ୍ରଶଂସକ ଯୋଗଦେବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମ ପାଇଁ ଏବେ ପ୍ରସ୍ତୁତି ଚାଲିଥିବାବେଳେ ନିର୍ମାତାମାନେ ଏହି ଇଭେଣ୍ଟକୁ ସ୍ମରଣୀୟ କରିବା ପାଇଁ ୫୦ଲକ୍ଷ ଟଙ୍କାର ବାଣ ଫୁଟାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ତେବେ ଆଦିପୁରୁଷର ଟିମ୍ ପକ୍ଷରୁ ଏହା ଉପ‌ରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଅଭିନେତା ପ୍ରଭାସ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଥିବା ଦେଖାଯାଇଛି। ଆଜି ଭୋର୍‌ ସମୟରେ ପାରମ୍ପାରିକ ପୋଷାକ କୁର୍ତ୍ତା ଏବଂ ଧୋତି ପରିଧାନ କରି ମନ୍ଦିର ପରିସରରେ ନଜର ଆସିଥିଲେ ପ୍ରଭାସ।

ତାଙ୍କ ସହ ଫିଲ୍ମର ଅନ୍ୟ ଦଳ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଅଭିନେତାଙ୍କ ମନ୍ଦିର ପରିଦର୍ଶନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଭିଡ଼ ଜମାଉଥିବାର ବି ଦେଖାଯାଇଛି।