ପ୍ରଭାସଙ୍କ ପଞ୍ଝାରେ ପୂଜା

ଯାହାହେଉ ସିନେମା ଜଗତରେ ଏବେ ଧିରେ ଧିରେ ହସ ଫୁଟୁଛି। ଭଲ କାହାଣୀ ହେଉ କି ଜଣାଶୁଣା କଳାକାର ଆଉ ପ୍ରେକ୍ଷାଳୟରୁ ତାଲା ଖୋଲିବା ଦର୍ଶକଙ୍କୁ ମଧ୍ୟ ଆଶ୍ବସ୍ତ କରିଛି। ‘ବାହୁବଳୀ’ ତାରକା ପ୍ରଭାସଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ରାଧେଶ୍ୟାମ’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁଯାଉଛି। ଏଥିରେ ପ୍ରଭାସଙ୍କ ବିପକ୍ଷର ନାୟିକା ସାଜିଛନ୍ତି ପୂଜା ହେଗ୍‌ଡେ। କୋଭିଡ୍‌ର ତୃତୀୟ ଲହର ମନ୍ଥର ହେବାପରେ ସିନେ ନିର୍ମାତାମାନେ ଡିଜିଟାଲ୍ ପ୍ଲାଟ୍‌ଫର୍ମରୁ ମୁହଁ ଫେରାଇ ଥିଏଟର୍‌ ହଲ୍‌ରେ ଫିଲ୍ମ ରିଲିଜ୍ କରିବାର ନିଷ୍ପତ୍ତି ନେଉଛନ୍ତି। ‘ଚଳଚ୍ଚିତ୍ର ‘ରାଧେଶ୍ୟାମ’ ଜାନୁଆରିରେ ମୁକ୍ତିଲାଭ କରିବାକୁ ଥିଲା, ହେଲେ କୋଭିଡ୍‌ର ତୃତୀୟ ଲହର ଏବଂ ଏଥିଜନିତ ଲାଗୁହେଇଥିବା ‌କଟକଣା ଯୋଗୁ ବାଧାପ୍ରାପ୍ତ ହେଲା। ମାର୍ଚ୍ଚ ୧୮ ଅଥବା ଏପ୍ରିଲ୍ ୨୮ ଏହି ଦୁଇ ତାରିଖରେ ‘ରାଧେଶ୍ୟାମ’ ପ୍ରେକ୍ଷାଳୟକୁ ଆସିବା ଚୂଡ଼ାନ୍ତ ହେଇଥିଲେ ମଧ୍ୟ ରାଜାମୌଲୀଙ୍କ ନିର୍ଦ୍ଦେଶିତ ‘ଆର୍‌ଆର୍‌ଆର୍‌’ ସିନେମାର ରିଲିଜ୍ ଉପରେ ନିର୍ଭର କରୁଥିଲା।

କାରଣ ଏହି ଦୁଇ ତାରିଖ ରାଜାମୌଲୀ ତାଙ୍କର ନୂଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ୍ ପାଇଁ ଅନେକ ପ୍ରେକ୍ଷାଳୟକୁ ବୁକ୍ କରିଥିଲେ। ଏବେ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମାର୍ଚ୍ଚ ୨୫ ତାରିଖକୁ ଘୁଞ୍ଚିବା ପରେ ‘ରାଧେଶ୍ୟାମ’ପାଇଁ ବାଟ ଫିଟିଯାଇଛି। ଏହା ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ କରିବାକୁ ସ୍ଥିର ହେଇଛି। ଏହି ଖୁସି ଖବର କାହାଣୀର ନାୟକ ପ୍ରଭାସ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଘୋଷଣା କରିଛନ୍ତି। ଗୁଲସନ୍ କୁମାର ଓ ଟି-ସିରିଜ୍ ନିବେଦିତ ‘ରାଧେଶ୍ୟାମ୍’ର ନିର୍ଦ୍ଦେଶନା ଦେଇଛନ୍ତି ରାଧାକ୍ରିଷ୍ଣ କୁମାର ଏବଂ ପ୍ରଯୋଜନା କରିଛନ୍ତି ଭୂଷଣ କୁମାର, ଭାମ୍‌ସୀ ଓ ପ୍ରମୋଦ। ଏଥିରେ ପ୍ରଭାସ ଓ ପୂଜାଙ୍କ ବ୍ୟତୀତ ସଚ୍ଚିନ ଖେଦେକର, ପ୍ରିୟଦର୍ଶୀ ପୁଲିକେଣ୍ଡା, ଭାଗ୍ୟଶ୍ରୀ, ଜଗପତି ବାବୁ, ମୁରଲୀ ଶର୍ମା, କୁନାଲ ରୟ କପୁର, ରିଦ୍ଧି କୁମାର, ସାଶା ଛେତ୍ରୀ, ସତ୍ୟନ୍ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼, ମାଲୟାଲମ୍, ଚାଇନିଜ୍ ଓ ଜାପାନିଜ୍ ଭାଷାରେ ରୂପାନ୍ତର ହେଇଛି।

ସମ୍ବନ୍ଧିତ ଖବର