ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଚର୍ଚ୍ଚାରେ। ୨୦୨୪ରେ ରିଲିଜ୍ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'କଲ୍କି ୨୮୯୮ଏଡି'ର ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ। ନିର୍ମାତା ଏନେଇ ଏକ୍ସରେ ପୋଷ୍ଟ କରି ଘୋଷଣା କରିସାରିଛନ୍ତି। କିଛି ଦିନ ତଳେ କରାଯାଇଥିବା ପୋଷ୍ଟରେ ଲେଖାଯାଇଥିଲା ଯେ, ଅଭିନେତ୍ରୀ ଆଉ ଦ୍ବିତୀୟ ଭାଗରେ ନଜର ଆସିବେନି। ଏହି ଖବର ଆସିବା ପରଠାରୁ ଦୀପିକା ଚର୍ଚ୍ଚାରେ। ଏକା ସାଙ୍ଗରେ ସେ ଫିଲ୍ମ ସ୍ପିରିଟ୍ ଓ 'କଲ୍କି ୨୮୯୮ଏଡି'ରୁ ବାଦ୍ ପଡ଼ିବାରୁ ଏହା ପଛରେ କାହାର ହାତ ରହିଛି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଦୁଇଟି ଯାକ ଫିଲ୍ମରେ ପ୍ରଭାସ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ଦୀପିକାଙ୍କୁ ବାହାର କରିବା ପଛରେ ତାଙ୍କର ହାତ ଥିବା କୁହାଯାଉଛି। ଦୀପିକା ପାଦୁକୋନଙ୍କ କିଛି ପ୍ରଶଂସକ ଅଭିନେତ୍ରୀଙ୍କୁ ଦୁଇଟି ବଡ଼ ପ୍ରୋଜେକ୍ଟରୁ ବାହାର କରିବା ପଛରେ ପ୍ରଭାସଙ୍କ ଭୂମିକା ଥିବା ନେଇ ସନ୍ଦେହ କରୁଛନ୍ତି। ପ୍ରଶଂସକମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଯଦି ପ୍ରଭାସ ହସ୍ତକ୍ଷେପ କରିଥାନ୍ତେ, ତେବେ ନିର୍ମାତାମାନେ ଦୀପିକାଙ୍କୁ ଚଳଚ୍ଚିତ୍ରରୁ ବାହାର କରିନଥାନ୍ତେ। ହେଲେ ହସ୍ତକ୍ଷେପ ନକରି ପ୍ରଭାସ ପରୋକ୍ଷରେ ଦୀପିକାଙ୍କୁ ଚଳଚ୍ଚିତ୍ରରୁ ବାହାର କରିବାର ନିଷ୍ପତ୍ତିକୁ ସମର୍ଥନ କରିଥିଲେ।
କିଛି ଦିନ ତଳେ ନାଗ ଅଶ୍ୱିନଙ୍କ ଦ୍ବାରା ନିର୍ଦ୍ଦେଶିତ "କଳକି ୨୮୯୮ ଏଡି"ର ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, "ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଉଛି ଯେ, ଦୀପିକା ପାଦୁକୋନ ଫିଲ୍ମ "କଳକି ୨୮୯୮ ଏଡି"ର ଆଗାମୀ ସିକ୍ୱେଲ୍ର ଅଂଶ ହେବେ ନାହିଁ। ବହୁତ ବିଚାର ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ପ୍ରଥମ ଫିଲ୍ମରୁ ଦୀର୍ଘ ଯାତ୍ରା ସତ୍ତ୍ୱେ, ଆମେ ସହଭାଗୀତା ପାଇଲୁ ନାହିଁ। ଏବଂ "କଳକି ୨୮୯୮ ଏଡି" ଭଳି ଏକ ଫିଲ୍ମ ଅଧିକ ପ୍ରତିବଦ୍ଧତା ପାଇବାକୁ ଯୋଗ୍ୟ। ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ।"
ପୋଷ୍ଟରେ ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଆଯାଇଥିଲା ଯେ, ନିର୍ମାତାମାନେ ଦୀପିକାଙ୍କର ଫିଲ୍ମ ପ୍ରତି ପ୍ରତିବଦ୍ଧତା ଉପରେ ସନ୍ଦେହ ରହିଛି, ଯେଉଁ କାରଣରୁ ତାଙ୍କୁ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି।
ଏହା ପୂର୍ବରୁ, ଦୀପିକା ପାଦୁକୋନଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ "ସ୍ପିରିଟ୍"ରୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବାହାର କରିଥିଲେ। ସେ କହିଥିଲେ ଯେ, ଦୀପିକା ଅନେକ ଦାବି କରିଥିଲେ ଯାହା ନିର୍ମାତାଙ୍କୁ ପସନ୍ଦ ଆସିନଥିଲା, ଯେଉଁଥିରେ ୮ଘଣ୍ଟାର ସିଫ୍ଟ ମଧ୍ୟ ସାମିଲ ଥିଲା। ତେଣୁ ତାଙ୍କର ଏଭଳି ଦାବି ମାନିବା ଅପେକ୍ଷା ତାଙ୍କୁ ଫିଲ୍ମରୁ ବାହାର କରିଦେବା ଭଲ ବୋଲି ବିଚାର କରାଗଲା।