ମୁମ୍ବାଇ: ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସଙ୍କର ହଜାର ହଜାର ପ୍ରଶଂସକ ରହିଥିବା ବେଳେ ଜଣେ ପ୍ରଶଂସକ ଏବେ ପାଗଳାମୀର ସବୁ ସୀମା ଭୁଲି ଯାଇଛନ୍ତି। ପ୍ରଭାସଙ୍କ ଫିଲ୍ମର ଅପ୍ଡେଟ୍ ନମିଳିଲେ ସେ ଜୀବନ ହାରିଦେବେ ବୋଲି ନିର୍ଦ୍ଦେଶକଙ୍କୁ ଧମକ ଦେଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ବାହୁବଳୀ ଚଳଚ୍ଚିତ୍ର ପରେ ପ୍ରଭାସଙ୍କ ଚାହିଦା ବେଶ୍ ଅଧିକ ବଢ଼ିଯାଇଛି।
ପ୍ରଭାସଙ୍କର ଜଣେ କ୍ରେଜି ଫ୍ୟାନ୍ଙ୍କ ଚିଠି ଏବେ ସୋସିଆଲ୍ ମିଡଆରେ ଭାଇରାଲ୍ ହେବାରେ ଲାଗିଛି। ଚିଠିରେ ପ୍ରଭାସଙ୍କ ଚଳଚ୍ଚିତ୍ର ‘ସାଲାର୍’ର ଅପ୍ଡେଟ୍ ନମିଳିଥିବାରୁ ପ୍ରଶଂସକ ଜଣକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି, ‘ଏହି ଚିଠି ଜରିଆରେ ମୁଁ ‘ସାଲାର୍’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ଙ୍କୁ ସୂଚୀତ କରାଇବାକୁ ଚାହୁଁଛି ଯେ ‘ସାଲାର୍’ ଚଳଚ୍ଚିତ୍ରର ଅପ୍ଡେଟ୍ ଖୁବ୍ ଶୀଘ୍ର ଆସିବ ବୋଲି ସେ ଆମକୁ କହିଥିଲେ। ମାତ୍ର ୟା ଭିତରେ ମାସେ ବିତି ଯାଇଥିଲେ ବି କିଛି ଅପ୍ଡେଟ୍ ଆସିନାହିଁ। ଏବେ ମେ ମାସର ଦ୍ବିତୀୟ ସପ୍ତାହ ଚାଲିଛି। ହେଲେ ଏ ଯାଏ ବି ଫିଲ୍ମକୁ ନେଇ ନିର୍ଦ୍ଦେଶକ କୌଣସି ଅପ୍ଡେଟ୍ ଦେଇନାହାନ୍ତି। ଆମେ ପ୍ରଭାସଙ୍କର ଫ୍ୟାନ୍। ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ସଂପର୍କରେ ଆମକୁ ଟିକ୍ନିକ୍ ଖବର ଦରକାର। ଯଦି ସେପରି ନହେଲୋ ମୁଁ ଆତ୍ମହତ୍ୟା କରିବି।’
ପ୍ରଶଂସକଙ୍କର ଏହି ଚିଠି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଭାସ ଶେଷ ଥର ପାଇଁ ‘ରାଧେ ଶ୍ୟାମ୍’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ସେହି ଫିଲ୍ମଟି ସିନେମା ହଲ୍ରେ ହଲ୍ଲା ମଚାଇଥିଲା।