ପ୍ରଭାସ-କୃତି ପ୍ରେମ ସଂପର୍କ ଅମୂଳକ, ଇନଷ୍ଟାରେ କୃତି କହିଲେ ‘ଫେକ୍ ନ୍ୟୁଜ’

ଦୀର୍ଘ ସମୟ ହେଲା ଇଣ୍ଟର୍‌ନେଟ୍‌ରେ ଅଭିନେତ୍ରୀ କୃତି ସେନନ ଓ ଦକ୍ଷିଣ ସିନେତାରକା ପ୍ରଭାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଛି ବୋଲି ଜୋର୍‌ଦାର ଚର୍ଚ୍ଚା ହୋଇଆସୁଥିଲା। ଏ ଚର୍ଚ୍ଚା ନିଶ୍ଚିତ ରୂପେ କୃତିଙ୍କୁ ବିଚଳିତ କରିଛି। ସେହି କାରଣରୁ ସେ ପ୍ରତିକ୍ରିୟାଶୀଳ ହୋଇ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ନିଜର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି। ପ୍ରଭାସଙ୍କ ସହ ସମ୍ପର୍କ ନେଇ ପ୍ରସାରିତ ରିପୋର୍ଟ ସଂପୂର୍ଣ୍ଣ ଅମୂଳକ ବୋଲି ଦର୍ଶାଇବା ସହ କୃତି ଏହାକୁ ‘ଫେକ୍ ନ୍ୟୁଜ’ର ଆଖ୍ୟା ଦେଇଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଭେଡ଼ିୟା’ ଚଳଚ୍ଚିତ୍ରର ସହଅଭିନେତା ବରୁଣ ଧୱନ୍ ଏକ ବାସ୍ତବଧର୍ମୀ ଟିଭି କାର୍ଯ୍ୟକ୍ରମରେ ବ୍ୟଙ୍ଗ ଛଳରେ ପ୍ରଭାସ-କୃତି ସମ୍ପର୍କ ସଂପୂର୍ଣ୍ଣ ସତ ବୋଲି ଇଙ୍ଗିତ କରିବାର ଦେଖାଯାଇଥିଲା। ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ଝଲକ ଦିଖଲା ଯା ୧୦’ରେ ବିଚାରକ କରଣ ଜୋହରଙ୍କ ଏକ ପ୍ରଶ୍ନର ଉତ୍ତରରେ ବରୁଣ କହିଥିଲେ ଯେ କୃତିଙ୍କ ନାମ ସିଙ୍ଗେଲ୍‌ଙ୍କ ତାଲିକାରେ ନ ରହିବାର କାରଣ ହେଉଛି ତାଙ୍କର ନାମ ଆଉ ଜଣଙ୍କ ହୃଦୟରେ ଲେଖା ହୋଇଛି।

ସେ ହୃଦୟ କାହାର ସେ କଥା ବରୁଣ ଯଦିଓ ସିଧାସଳଖ କହିନଥିଲେ, ସେ ଏହା କହିଥିଲେ ଯେ ସେହି ବ୍ୟକ୍ତି ଏବେ ମୁମ୍ବାଇରେ ନାହାନ୍ତି, ସେ ଏବେ ଦୀପିକା ପାଦୁକୋନଙ୍କ ସହିତ ସୁଟିଂ କରୁଛନ୍ତି। ବାସ୍ତବରେ ପ୍ରଭାସ ହିଁ ଦୀପିକାଙ୍କ ସହିତ ‘ପ୍ରୋଜେକ୍ଟ କେ’ ଚଳଚ୍ଚିତ୍ରର ସୁଟିଂରେ ଏବେ ବ୍ୟସ୍ତ ଅଛନ୍ତି। ବରୁଣ ଏକଥା କହିବା ପରେ କୃତି ଲାଜେଇଯିବା ମଧ୍ୟ ଦେଖାଯାଇଥିଲା। ତେଣୁ ପ୍ରଭାସଙ୍କ ସହ ସମ୍ପର୍କକୁ କୃତି ଏକପ୍ରକାର ସ୍ବୀକାର କଲେ ବୋଲି ସମସ୍ତେ ଭାବୁଥିଲେ। ସେହିପରି ନିକଟରେ ଏକ ସାକ୍ଷାତକାରରେ କୃତି କହିଥିଲେ ଯେ ସୁଯୋଗ ମିଳିଲେ ସେ ପ୍ରଭାସଙ୍କୁ ବିବାହ କରିବେ। କିନ୍ତୁ ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରି କୃତି ଏବେ କହିଛନ୍ତି ଯେ ଏହା ‘ପ୍ୟାର୍‌’ ବା ପ୍ରେମ ନୁହେଁ କି ‘ପିଆର୍‌’ ବା ପ୍ରଚାର ନୁହେଁ, ବରୁଣ ଉକ୍ତ ଟିଭି କାର୍ଯ୍ୟକ୍ରମରେ ଟିକେ ଅଧିକ ଦୁଷ୍ଟାମି କରିଦେଇଥିଲେ ଯାହା! କେହି ସେମାନଙ୍କ ବିବାହ ତାରିଖ ଘୋଷଣା କରିବା ପୂର୍ବରୁ ସେ ଏହାକୁ ଉଡ଼ା ଖବର ବୋଲି ଦର୍ଶାଇଦେଇଛନ୍ତି। ବାସ୍ତବ ଜୀବନରେ ପ୍ରଭାସ-କୃତିଙ୍କ ପ୍ରେମ ନ ହେଲେ ବି ଆସନ୍ତା ବର୍ଷ ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ଦର୍ଶକେ ସେମାନଙ୍କୁ ରାମ-ସୀତା ଯୋଡ଼ି ରୂପେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର