ନୂଆଦିଲ୍ଲୀ: ‘ବାହୁବଳୀ-୨’ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ‘ମିସ୍ ଶେଟ୍ଟୀ ମିଷ୍ଟର୍ ପଲିଶେଟ୍ଟୀ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି ଏବଂ ରିଲିଜ୍ ହେବା ପରେ ଏହା ଖୁବ୍ ଜୋର୍ରେ ଟ୍ରେଣ୍ଡ୍ କରିବା ଆରମ୍ଭ କରିଛି। ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରି ସୁପରଷ୍ଟାର ପ୍ରଭାସ ଲେଖିଛନ୍ତି, ‘ମିସ୍ ଶେଟ୍ଟୀ ମିଷ୍ଟର୍ ପଲିଶେଟ୍ଟୀ’ର ଟ୍ରେଲର ଦେଖି ହସ ବନ୍ଦ ହେଉନାହିଁ।
ସେପ୍ଟେମ୍ବର ୭ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପାଇଁ ସେ ପୂରା ଦଳକୁ ଶୁଭେଚ୍ଛା ଦେଇଛନ୍ତି। ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀ ପୂର୍ବରୁ ୨୦୦୯ ମସିହାରେ ‘ବିଲା’ ଏବଂ ୨୦୧୩ ମସିହାରେ ‘ମିର୍ଚି’ରେ ସାଥୀ ହୋଇ ଅଭିନୟ କରିଛନ୍ତି। ‘ବାହୁବଲୀ-୨’ ମୁକ୍ତିଲାଭ କରିବା ପରେ ଏହି ଦୁଇ କଳାକାର ଡେଟିଂ କରୁଥିବା ଶୁଣିବାକୁ ମିଳିଥିଲା। ତେବେ ଦୁହେଁ ଏହି କଥାକୁ ଏକାଧିକ ଥର ଅସ୍ୱୀକାର କରି ଗୁଜବ ବୋଲି କହିଛନ୍ତି। ସେମାନେ ଉଭୟ ସର୍ବଦା ବନ୍ଧୁ ବୋଲି ସେମାନଙ୍କ ପରିଚୟ ଦେଇଛନ୍ତି।
ସୋସିଆଲ ମିଡିଆରେ ଟ୍ରେଲର ସେୟାର କରି ଅନୁଷ୍କା ଶେଟ୍ଟୀ ଲେଖିଛନ୍ତି,‘ମିସ୍ ଶେଟ୍ଟୀ ମିଷ୍ଟର୍ ପଲିଶେଟ୍ଟୀ’ର ଟ୍ରେଲର କମେଡି ଏବଂ ମନୋରଞ୍ଜନ ପାଇଁ ଆପଣଙ୍କ ଭୋକ ବଢ଼ାଇବାକୁ ପ୍ରସ୍ତୁତ କରାଯାଇଛି। ସେପ୍ଟେମ୍ବର ୭ ତାରିଖରେ ଏହାର ଗ୍ରାଣ୍ଡ ରିଲିଜ୍ ହେବ। ନବୀନ ପଲିସେଟ୍ଟୀଙ୍କ ସହ ଅନୁଷ୍କା ଶେଟ୍ଟୀଙ୍କ ଅଭିନୀତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ବାବୁ ପି।
ପ୍ରଭାସଙ୍କ କଥା କହିବାକୁ ଗଲେ ତାଙ୍କୁ ରାମାୟଣ ଉପରେ ଆଧାରିତ ଓମ ରାଉତଙ୍କ ବିବାଦୀୟ ପୁରାଣ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ କ୍ରିତି ସନନ୍।