‘ଆଦିପୁରୁଷ’ ରିଲିଜ୍‌ ପୂର୍ବରୁ ତିରୁପତି ଯାଇ ଆଶୀର୍ବାଦ ମାଗିଲେ ପ୍ରଭାସ

ମୁମ୍ବାଇ: ଜୁନ ୧୬ରେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଆଦିପୁରୁଷ”। ତେଲୁଗୁ ଷ୍ଟାର୍‌ ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଏହି ଫିଲ୍ମଟିର ରିଲିଜ୍‌ ପୂର୍ବରୁ ନିର୍ମାତାମାନେ ପ୍ରସ୍ତୁତ ହେଉଥିବା ବେଳେ ଆଶୀର୍ବାଦ ପାଇଁ ତିରୁପତି ଯାଇଛନ୍ତି ପ୍ରଭାସ।

ମୁଖ୍ୟ ଅଭିନେତା ପ୍ରଭାସ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ଯାଇଥିବା ବେଳେ ତାଙ୍କର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  ଆନ୍ଧ୍ରପ୍ରଦେଶର ତିରୁପତିରେ ପହଞ୍ଚିବା ପରେ ପ୍ରଭାସଙ୍କୁ ବହୁ ଜନତା ସେଠାରେ ସ୍ୱାଗତ କରିଥିଲେ। ଭୋର୍‌ ୨.୩୦ ବେଳେ ପାରମ୍ପାରିକ ପୋଷାକ କୁର୍ତ୍ତା ଏବଂ ଧୋତି ପରିଧାନ କରି ମନ୍ଦିର ପରିସରରେ ନଜର ଆସିଥିଲେ ପ୍ରଭାସ।
ତାଙ୍କ ସହ ଫିଲ୍ମର ଅନ୍ୟ ଦଳ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଅଭିନେତାଙ୍କ ମନ୍ଦିର ପରିଦର୍ଶନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଭିଡ଼ ଜମାଉଥିବାର ବି ଦେଖାଯାଇଛି।

‘ଆଦିପୁରୁଷ’ ଫିଲ୍ମରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସୈଫ ଅଲି ଖାନ ରାବଣ, ସନ୍ନି ସିଂ ଲକ୍ଷ୍ମଣ ଏବଂ କ୍ରିତି ସାନନ ସୀତା ଭୂମିକାରେ ଅଭିନୟ କରିଛନ୍ତି।

ରିଲିଜ ପୂର୍ବରୁ ସିନେମା ‘ଆଦିପୁରୁଷ’କୁ ନେଇ ଏକ ଖବର ଆସିଥିଲା। ଏହି ଖବର ଅନୁଯାୟୀ ସିନେମାଟି ୫୦୦କୋଟି ଟଙ୍କା‌ରେ ନିର୍ମିତ ହୋଇଥିବା କୁହାଯାଉଥିବା ବେଳେ ଏହା ରିଲିଜ ପୂର୍ବରୁ ନିର୍ମାଣ ଖର୍ଚ୍ଚର ୮୫ ପ୍ରତିଶତ ହାସଲ କରି ଦେଇଥିବା ରିପୋର୍ଟ ମିଳିଥିଲା। ଅର୍ଥାତ ‘ଆଦିପୁରୁଷ’ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା ରୋଜଗାର କରିସାରିଛି। ଏହି ସିନେମାଟି ତେଲୁଗୁ, ତାମିଲ, ହିନ୍ଦୀ, ମଲୟାଲମ ଓ କନ୍ନଡ଼ ଭାଷାରେ ରିଲିଜ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର