‘ଆଦିପୁରୁଷ’ ପାଇଁ ପ୍ରଭାସ ହିଁ ଏକମାତ୍ର ପସନ୍ଦ ଥିଲେ: ନିର୍ଦ୍ଦେଶକ ଓମ୍‌ ରାଉତ

ମୁମ୍ବାଇ: ତେଲୁଗୁ ଷ୍ଟାର୍‌ ପ୍ରଭାସ ତାଙ୍କ କ୍ୟାରିୟର୍‌ର ସବୁଠାର ବଡ଼ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ନିକଟ ଅତୀତରେ ଅନେକ ଗୁଜବ ପ୍ରକାଶ ପାଇଛି। କେହି କେହି ‘ଆଦିପୁରୁଷ’ରେ ପ୍ରଭାସଙ୍କ ସ୍ଥାନରେ ଅନ୍ୟ ଅଭିନେତାଙ୍କୁ ଚୟନ କରାଯାଇଥିଲା ବୋଲି କହିଥିବ‌ା ବେଳେ ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଓମ୍‌ ରାଉତ। ସେ କହିଛନ୍ତି ଯେ ‘ଆଦିପୁରୁଷ’ ପାଇଁ ପ୍ରଭାସ ହିଁ ପ୍ରଥମ ପସନ୍ଦ ଥିଲେ। ସେ ଆହୁରି ବି କହିଛନ୍ତି ଯେ ପ୍ରଭାସଙ୍କ ବିନା ଏହି ଚଳଚ୍ଚିତ୍ରଟି କେବେ ହୋଇ ପାରିନଥାନ୍ତା।

ଆପଣ ଜାଣିଥିବେ ନିଶ୍ଚୟ ଯେ ‘ଆଦିପୁରୁଷ’ ହେଉଛି ଏକ ପୌରାଣିକ କାହାଣୀ ଆଧାରିତ। ଏହା ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ସୁଟ୍‌ ହୋଇଛି। ଗତ ୨ ତାରିଖରେ ‘ଆଦିପୁରୁଷ’ର ଅଫିସିଆଲ୍‌ ଟେଲର୍‌ ରିିଲିଜ୍‌ ହୋଇସାରିଛି।

ରାମାୟଣ ଚରିତ୍ର ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ଆରମ୍ଭ ହେଇଛି । ବିଶ୍ବ ହିନ୍ଦୁ ପରିଷଦ ଫିଲ୍ମର ଟିଜରରେ ଥିବା ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିରୋଧ କରିଛି। ଫିଲ୍ମକୁ କୌଣସି ହଲରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଚେତାବନୀ ଦେଇଛି।

ଉତ୍ତରପ୍ରଦେଶର ସମ୍ୱଲରେ ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ପ୍ରଚାର ମୁଖ୍ୟ ଅଜୟ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, କେବଳ ପ୍ରଭୁ ରାମ ନୁହଁନ୍ତି, ରାବଣ ଏବଂ ଲକ୍ଷ୍ମଣଙ୍କୁ ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ଭୁଲ ଭାବେ ଚିତ୍ରଣ କରାଯାଇଛି। ସେ ଦାବି କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ରାବଣ ଯେଉଁଭଳି ଭାବରେ ଚିତ୍ରିତ ହୋଇଛି ତାହା ରାମାୟଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଶାସ୍ତ୍ର ସହିତ ମେଳ ଖାଉ ନାହିଁ।

ସମ୍ବନ୍ଧିତ ଖବର