ସବୁବେଳେ ନାହିଁ ଚାନ୍ଦିନୀ ରାତି: ପ୍ରାଚୀ ଦେଶାଇ

ବିଗତ ଦିନରେ ‘ଜୀ ଟିଭି’ରେ ପ୍ରସାରିତ ପାରିବାରିକ ଧାରାବାହିକ ‘କସମ୍‌ ସେ’ର ବୀଣା ଚରିତ୍ରରେ ଅଭିନୟ ପାଇଁ ଘରେ ଘରେ ପରିଚିତ ଥିବା ଅଭିନେତ୍ରୀ ପ୍ରାଚୀ ଦେଶାଇ ଦୀର୍ଘ ୬ ବର୍ଷ ପରେ ପୁଣି ଥରେ ଟିଭି ପରଦାକୁ ଫେରୁଥିବାର ସୂଚନା ଦେଇଛନ୍ତି। ନିଜର ୧୬ ବର୍ଷର ଅଭିନୟ ଜୀବନ ଭିତରେ ସେ ମାତ୍ର ୬ଟି ଧାରାବାହିକରେ ସୁଯୋଗ ପାଇଥିଲେ ହେଁ, ସେଥିରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଅପରପକ୍ଷେ, ଟିଭି ଲୋକପ୍ରିୟତାକୁ ପୁଞ୍ଜି କରି ସେ ସିନେ ଦୁନିଆକୁ ଲମ୍ଫ ମାରି ୧୩ଟି ସିନେମାରେ ଦକ୍ଷତା ପରଖିଛନ୍ତି ଏବଂ ନିଜର ନିଷ୍ଠା ଓ ଅଧ୍ୟବସାୟ ପାଇଁ ୯ ଥର ଜାତୀୟ ସ୍ତରର ପୁରସ୍କାର ହାତେଇବାର ବିରଳ କୀର୍ତ୍ତି ହାସଲ କରିଛନ୍ତି। ତେବେ ମନଲୋଭା ଚାନ୍ଦିନୀ ରାତି ସବୁବେଳେ ନଥାଏ ବୋଲି ସେ ଏବେ ହୃଦୟଙ୍ଗମ କରୁଛନ୍ତି। ଗୁଜରାଟର ସୁରଟରେ ୧୯୮୮ ସେପ୍ଟେମ୍ବର ୧୨ରେ ଜନ୍ମିତା ପ୍ରାଚୀ ସ୍ନାତକ ପଢୁଥିବା ବେଳେ ତାଙ୍କୁ ୨୦୦୬ରେ ଏକତା କପୁରଙ୍କ ‘କସମ୍‌ ସେ’ ଧାରାବାହିକରେ ମୁଖ୍ୟ ନାୟିକା ଭାବରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତାବ ମିଳିଥିଲା।

ଆଗରୁ କୌଣସି ଅଭିନୟ ଅଭିଜ୍ଞତା ନଥାଇ ବି ଏହି ପ୍ରଥମ ପଦାର୍ପଣରେ ସେ ଦୀର୍ଘ ତିନି ବର୍ଷ ଧରି ତିଷ୍ଠି ରହିବା ସହ ଦର୍ଶକ ଓ ସମୀକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ନିପୁଣ ଅଭିନୟ ପାଇଁ ୨୦୦୭ରୁ ୨୦୦୯ ଯାଏ ସେ ଲଗାତାର ତିନିଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଇଟା ସମ୍ମାନ ଲାଭ କରିଥିଲେ। ଏହି ଅବସରରେ ସେ ଅନ୍ୟତମ ପାରିବାରିକ ଧାରାବାହିକ ‘କସୌଟି ଜିନ୍ଦଗି କେ’ରେ ମାତ୍ର ଦୁଇଟି ଭାଗ ପାଇଁ ଆସିଥିଲେ ହେଁ ଦର୍ଶକଙ୍କ ମନରେ ଗଭୀର ରେଖାପାତ କରିଥିଲେ। ତା’ପରେ ପ୍ରାଚୀ ୨୦୦୭ରେ ନୃତ୍ୟଭିତ୍ତିକ ଧାରାବାହିକ ‘ଝଲକ ଦିଖଲା ଯା’ରେ ଜଣେ ପ୍ରତିଯୋଗୀ ସାଜି ଅଧାରୁ ବିଦା ହୋଇଯାଇଥିଲେ। ମାତ୍ର ଭାଗ୍ୟର କରାମତି ଯୋଗୁଁ ସେଥିରେ ସେ ‘ଵାଇଲ୍‌ଡ କାର୍ଡ’ ପ୍ରବେଶ ମାଧ୍ୟମରେ ପ୍ରତିଯୋଗିତାର ବିଜୟିନୀ ହୋଇଥିଲେ। ଏଥିରେ ଉତ୍ସାହିତ ହୋଇ ସେ ଟିଭି ପରଦା ଛାଡ଼ି ସିନେ ଦୁନିଆ ପ୍ରତି ଢଳିଥିଲେ ଏବଂ ୨୦୦୮ରେ ହିନ୍ଦୀ ଫିଲ୍ମ ‘ରକ୍‌ ଅନ୍‌!’ରେ ତାଙ୍କର ପ୍ରଥମ ଆବିର୍ଭାବ ଚହଳ ପକାଇ ଦେଇଥିଲା। ତେବେ ୨୦୧୦ରେ ‘ଵାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ଗ୍ରହଣ କରିବା ସହ ପ୍ରାଚୀଙ୍କୁ ଉଭୟ ଖ୍ୟାତି ଓ ପ୍ରତିଷ୍ଠା ମିଳିଥିଲା। ୟା ଭିତରେ ‘ସିଆଇଡି’ ଓ ‘ତାରକ ମେହେତା କା ଉଲଟା ଚଷମା’ ପରି ଧାରାବାହିକରେ ମଧ୍ୟ ସେ ନିଜର ସଫଳତା ଦୋହରାଇଥିଲେ ହେଁ ଫିଲ୍ମ ପାଇଁ ଧାରାବାହିକରୁ ଓହରିଯାଇଥିଲେ। ପଛକୁ ପଛ ‘ତେରି ମେରି କାହାନୀ’, ‘ବୋଲ୍‌ ବଚ୍ଚନ’ ଓ ‘ପୋଲିସଗାର୍ଲ’ ଆଦି ଫିଲ୍ମରେ ନାମୀ କଳାକାରଙ୍କ ଗହଣରେ ପ୍ରାଚୀଙ୍କୁ ପ୍ରଶଂସକମାନେ ଭାରି ପସନ୍ଦ କରିଥିଲେ। ତେବେ ଦୀର୍ଘ ୪ ବର୍ଷ ପରେ ସେ ‘ନାଗିନ୍‌’ ଧାରାବାହିକର ଏକ ଅତିଥି ଭୂମିକାରେ ଟିଭି ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୟା ଭିତରେ କିଛି ହିନ୍ଦୀ ଫିଲ୍ମରେ ପ୍ରାଚୀ ଆସିଥିଲେ ହେଁ ତାଙ୍କର ଉପସ୍ଥିତି ସେତେ ପ୍ରଭାବୀ ନଥିବାରୁ ସେ ପୁଣି ଧାରାବାହିକରେ ମନୋନିବେଶ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର