ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ର ୨୦୨୧କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। କାରଣ ତାଙ୍କର ବେଶ କେତୋଟି ନୂଆ ଓଡ଼ିଆ ସିନେମା ଏବର୍ଷ ରିଲିଜ୍ ହେବ। ଏଥିମଧ୍ୟରୁ ତାଙ୍କ ଅଭିନୀତ କଗାଟିଏ ସିନେମାର ନାଆଁ ହେଲା ‘ମହାବାହୁ’। ଏଥିରେ ପ୍ରକୃତି ପ୍ରଥମ ଥର ପାଇଁ ଆକାଶଙ୍କ ବିପକ୍ଷରେ ନଜର ଆସିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉଷସୀ ମିଶ୍ର ଓ ପପି ସନ୍ତୁକା ପ୍ରମୁଖ ଅଭିନୟ କରିବେ। ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ରମେଶ ବାରିକ ‘ମହାବାହୁ’ର ପ୍ରଯୋଜକ।
ଠିକ୍ ସେହିପରି ଜଣାଶୁଣା ଅଭିନେତା ପ୍ରେମାଞ୍ଜନ ପରିଡ଼ା ପ୍ରଡକସନ୍ସ ବ୍ୟାନରରେ ନିର୍ମାଣାଧୀନ ସିନେମା ‘ପ୍ରତ୍ୟାଘାତ’ରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଅଙ୍କିତ କୁମାର ଅଛନ୍ତି ନାୟକ ଭୂମିକାରେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ବଡ଼ଜେନା ଓ ପ୍ରେମାଞ୍ଜନ ପରିଡ଼ା ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ‘ପ୍ରତ୍ୟାଘାତ’ର ପ୍ରଯୋଜନାରେ ବାପି ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ସଞ୍ଜୟ ଘୋଷ। ଜିତେନ୍ଦ୍ର ବରାଳ ସଂଳାପ ଲେଖିଥିବା ବେଳେ ଏହାର ସଙ୍ଗୀତକାର ହେଲେ ବିଭୁତିଭୂଷଣ ଗଡ଼ନାୟକ।
ଏହାଛଡ଼ା ପ୍ରକୃତିଙ୍କ ଅଭିନୀତ ଅନ୍ୟ ଏକ ନୂଆ ଓଡ଼ିଆ ସିନେମା ଏବର୍ଷ ରିଲିଜ୍ ହୋଇପାରେ, ଯାହା ଗତ ବର୍ଷ ରିଲିଜ୍ ହେବାର ଥିଲା। ଏହି ଓଡ଼ିଆ ସିନେମାର ନାଆଁ ହେଲା ‘ପଗଲୁ’। ଜଗନ୍ନାଥ ପାଟଯୋଶୀ ମହାପାତ୍ର ଏହାର ପ୍ରଯୋଜକ। ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ। ‘ପଗଲୁ’ରେ ନବାଗତ ଅଭିଷେକଙ୍କ ବିପକ୍ଷରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ମିହିର ଦାସ, ଅପରାଜିତା, ଦୈତାରି ପଣ୍ଡା ବି ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ଏସବୁ ଛବିରେ ପ୍ରକୃତି ମିଶ୍ର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ଅନ୍ୟ ସିନେମାରେ ବି ନଜର ଆସିପାରନ୍ତି।