ଭୁବନେଶ୍ବର: କିିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍ ରାସ୍ତାରେ ଧକ୍କା ଓ ଗାଳି ଖାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ଭୁବନେଶ୍ବର କୋର୍ଟରେ ତାଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିିଛନ୍ତି। ଏ ନେଇ ପ୍ରକୃତିଙ୍କ ଓକିଲ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ‘ପ୍ରକୃତିଙ୍କ ପକ୍ଷରୁ ମାନହାନି ମକଦ୍ଦମା କରିବାକୁ ଆମେ କୋର୍ଟକୁ ବାହାରୁଛୁ। ପରେ କହିବେନି ଯେ ଆମେ ଜଣାଇଲୁନି ବୋଲି’। ତେବେ ପ୍ରକୃତିି କୋର୍ଟରେ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ନାମରେ ମାନହାନି ମକଦ୍ଦମା କରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଆଜକୁ ଠିକ୍ ୧ ମାସ ତଳେ ରାସ୍ତା ମଝିରେ ଦେଖିବାକୁ ମିଳିଥିଲା ଷ୍ଟାର୍ ପରିବାରର କଳି। ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ଗାଡ଼ିରେ ବସି କେଉଁଆଡ଼କୁ ଯିବାକୁ ବାହାରିଥିବା ସମୟରେ ତାଙ୍କୁ ଅଟକାଇଥିଲେ ବାବୁସାନ୍ଙ୍କ ପତ୍ନୀ। ସେଠାରେ ସେ ବାବୁସାନ୍ଙ୍କ ସହ ଧସ୍ତାଧସ୍ତି କରିବା ସହ ପ୍ରକୃତିଙ୍କୁ ବି ରାସ୍ତା ମଝିରେ ଗୋଡ଼େଇ ଗୋଡ଼େଇ ଧକ୍କା ମାରୁଥିବାର ଦୃଶ୍ୟ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା। ତାଙ୍କ ସ୍ବାମୀଙ୍କର ପ୍ରକୃତିଙ୍କ ସହ ପରକୀୟା ପ୍ରୀତି ଅଛି ବୋଲି ଅଭିଯୋଗ ଆଣିବା ସହ ପ୍ରକୃତି ତାଙ୍କ ଘର ଭାଙ୍ଗିଛନ୍ତି ବୋଲି ତୃପ୍ତି କହୁଥିବାର ଭିଡିଓରେ ଶୁଣିବାକୁ ମିଳିଥିଲା।
ଏହି ଘଟଣାକୁ ନେଇ ଉଭୟ ବାବୁସାନ୍ ଓ ପ୍ରକୃତିଙ୍କ ଘରେ ବିବାଦ ସୃଷ୍ଟି ହୋଇଥିଲା। ବାବୁସାନ୍ଙ୍କ ବାପାମାଆ ତଥା ଓଡ଼ିଶାର ସ୍ବନାମଧନ୍ୟ ଷ୍ଟାର୍ ଦମ୍ପତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ପ୍ରକୃତିଙ୍କ ବାପା ତଥା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ନିଜ ଝିଅ ପ୍ରକୃତିକୁ ସମର୍ଥନ କରିଥିଲେ। ଏପରିକି ରାସ୍ତା ମଝିରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରି ତାଙ୍କର ସମ୍ମାନ ହାନି କରିଥିବାରୁ ମନ୍ମଥ ମିଶ୍ର ତୃପ୍ତିଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଥିଲେ।