ଏହି ଲୋକପ୍ରିୟ ନାୟକଙ୍କ ସହ ଦେଖା ଦେବେ ପ୍ରକୃତି

ଭୁବନେଶ୍ବର: ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସୁଥିବା ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ଦର୍ଶକ ଚଳିତ ବର୍ଷ ଏକାଧିକ ସିନେମାରେ ଦେଖିବାକୁ ପାଇବେ। ଏଥିମଧ୍ୟରୁ ଏବେ ସେ ଏକ ଆଗାମୀ ଫିଲ୍ମ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଲା ଏହି ସିନେମାରେ ସେ ଓଡ଼ିଆ ସିନେମାର ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ଦେଖା ଦେବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିବେ। ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି, ତାହା ହେଲା ‘ପ୍ରେମମ୍’। ଶିଶିର କୁମାର ଷଡ଼ଙ୍ଗୀ ଏହାର ନିର୍ମାତା ଓ ତାପସ ସରଘରିଆ ନିର୍ଦ୍ଦେଶକ। ଆଗରୁ ବାବୁସାନ୍ ଓ ପ୍ରକୃତି ମିଶ୍ର ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଥୁକୁଲ’ରେ ଏକାଠି ନଜର ଆସିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ଏଥିରେ ଅର୍ଚ୍ଚିତା ଥିଲେ ନାୟିକା ଭୂମିକାରେ।


ଏହାଛଡ଼ା ଏବର୍ଷ ପ୍ରକୃତି ଅନ୍ୟ ଦୁଇଟି ସିନେମାରେ ନଜର ଆସିପାରନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ପ୍ରତ୍ୟାଘାତ’। ପ୍ରେମାଞ୍ଜନ ପରିଡ଼ା ପ୍ରଡକସନ୍ସ ବ୍ୟାନରରେ ନିର୍ମାଣାଧୀନ ଏହି ସିନେମାରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଅଙ୍କିତ କୁମାର ଅଛନ୍ତି ନାୟକ ଭୂମିକାରେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ବଡ଼ଜେନା ଓ ପ୍ରେମାଞ୍ଜନ ପରିଡ଼ା ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ‘ପ୍ରତ୍ୟାଘାତ’ର ପ୍ରଯୋଜନାରେ ବାପି ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ସଞ୍ଜୟ ଘୋଷ। ଜିତେନ୍ଦ୍ର ବରାଳ ସଂଳାପ ଲେଖିଥିବା ବେଳେ ଏହାର ସଙ୍ଗୀତକାର ହେଲେ ବିଭୁତିଭୂଷଣ ଗଡ଼ନାୟକ।
ଏଣେ ପ୍ରକୃତିଙ୍କ ଅଭିନୀତ ଏକ ନୂଆ ଓଡ଼ିଆ ସିନେମା ଏବେ ରିଲିଜ୍ ଲାଗି ସଜବାଜ ହେଉଥିବାର ଖବର ମିଳିଛି। ଏହି ଓଡ଼ିଆ ସିନେମାର ନାଆଁ ହେଲା ‘ପଗଲୁ’। ‘ପଗ୍ଲୁ’ରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାରେ ଅଭିଷେକଙ୍କ ବିପକ୍ଷରେ ସେ ନଜର ଆସିବେ। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅପରାଜିତା, ପପୁ ପମପମ୍, ଦୈତାରି ପଣ୍ଡା ପ୍ରମୁଖ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଜଗନ୍ନାଥ ପାଟଯୋଶୀ ମହାପାତ୍ର ଏହାର ପ୍ରଯୋଜକ । ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର