ଭିଜିଲାନ୍ସ ଜାଲରେ ପଡ଼ିଥିବା ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓଡ଼ିଆ ସିନେମାର କାର୍ଯ୍ୟକାରୀ ପ୍ରଯୋଜକ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ତାଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି।

ତେବେ ଆପଣ କ’ଣ ଜାଣନ୍ତି କି ପ୍ରତାପ ସାମଲ ଆଗରୁ ଦୁଇଟି ଓଡ଼ିଆ ଛବିର କାର୍ଯ୍ୟକାରୀ ପ୍ରଯୋଜକର ଦାୟିତ୍ବ ନିର୍ବାହ କରିଛନ୍ତି। ସେ ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ନାରୀ ଆଖିରେ ନିଆଁ’ର ଅନ୍ୟତମ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ। ରାଧାକୃଷ୍ଣ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଛବିର ପ୍ରଯୋଜକ ହେଲେ ନମିତା ଦାସ ଓ ସସ୍ମିତା ସାମଲ। ସଞ୍ଜୟ ନାୟକ ଏହାର ନିର୍ଦେଶନା ଦେଇଥିବା ବେଳେ  ଏଥିରେ ସିଦ୍ଧାନ୍ତ, ମାମା ମିଶ୍ର, ଦୀପା ସାହୁ, ମେଘନା ମିଶ୍ର, ଦୀପ୍ତି ଓ ମିହିର ଦାସ ପ୍ରମୁଖ ଅଭିନୟ କରିଥିଲେ।

ତା’ପରେ ପ୍ରତାପ ସାମଲଙ୍କ କାର୍ଯ୍ୟକାରୀ ପ୍ରଯୋଜନାରେ ନିର୍ମିତ ହୋଇଥିଲା ‘ବାଜି’। ୨୦୦୫ରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ବାଜି’ ହେଲା ପ୍ରଥମ ଓଡ଼ିଆ ସିନେମା। ଏହି ସିନେମାରେ ସିଦ୍ଧାନ୍ତ, ଶ୍ରୀତମ, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ,ମିହିର ଦାସ, ବିଜୟ ମହାନ୍ତି,ଅଶ୍ରୁମୋଚନ, ରାଇମୋହନ ଓ ଅନୀତା ଦାସ ପ୍ରମୁଖ ଅଭିନୟ କରିଥିଲେ। ‘ବାଜି’ ଅବଶ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ରାଧାକୃଷ୍ଣ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଛବିର ପ୍ରଯୋଜକ ହେଲେ ନମିତା ଦାସ ଓ ସସ୍ମିତା ସାମଲ। ସୂଚନାଯୋଗ୍ୟ ସସ୍ମିତା ସାମଲ ହେଉଛନ୍ତି ପ୍ରତାପଙ୍କ ପତ୍ନୀ। ଅପରପକ୍ଷରେ ନମିତା ଦାସ ଜଣେ ଜଣାଶୁଣା ଅଭିନେତ୍ରୀ।

ସଂପ୍ରତି ପ୍ରତାପ ସାମଲ ଅନ୍ୟ ଏକ ଓଡ଼ିଆ ଫିଲ୍ମର କାର୍ଯ୍ୟକାରୀ ପ୍ରଯୋଜନା କରୁଥିବା ଜଣାଯାଇଛି। ସୂଚନା ଅନୁସାରେ, ଏହାର ନିର୍ଦେଶନା ଦିଲୀପ ପଣ୍ଡା ଦେଉଥିବା ବେଳେ ଡକ୍ଟର ରଜନୀରଂଜନ ଏହାର ସଂଳାପକାର ଏବଂ ଏଥିରେ ଅମ୍ଳାନ ନାୟକ ଭୂମିକାରେ ଅଭିନୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତାପ ସାମଲଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ତାଙ୍କ ପୁଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି।

ସମ୍ବନ୍ଧିତ ଖବର