ଆଜିଠାରୁ ରାଜ୍ୟ ବାହାରେ ପ୍ରଦର୍ଶିତ ହେଉଛି ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ପ୍ରତୀକ୍ଷା

ଭୁବନେଶ୍ବର: ଆଜିଠାରୁ ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ପ୍ରତୀକ୍ଷା’ ଓଡ଼ିଶା ବାହାରେ ପ୍ରଦର୍ଶିତ ହେଉଛି। ଏହା ମୁମ୍ବାଇ, ପୁଣେ ଓ ବେଙ୍ଗାଲୁରୁରେ ରିଲିଜ୍ ହେଉଛି।
ଓଲିଉଡର ଜଣାଶୁଣା ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ। ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା।

ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ  ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତକାର। ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଏହାର ଗୀତିକାର। ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ହ୍ୟୁମାନ ସାଗର, ବିଶ୍ବଜିତ ମହାପାତ୍ର ଓ ବିଭାସ ରଥ। ‘ପ୍ରତୀକ୍ଷା’ର ସିନେମାଟୋଗ୍ରାଫର୍ ହେଲେ ଦୀପକ କୁମାର। ଦେବେନ ମିଶ୍ର ସଂପାଦକ। ‘ପ୍ରତୀକ୍ଷା’ ଗତ ୨ ତାରିଖରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

ଚଳଚ୍ଚିତ୍ରଟି ଏକ ମଧ୍ୟବିତ୍ତ ପରିବାର ଉପରେ କେନ୍ଦ୍ରୀଭୂତ ହୋଇଛି। ନାୟକ ସଞ୍ଜୟ ନିଜ ପିତାଙ୍କ ଅବସର ପୂର୍ବରୁ ସରକାରୀ ଚାକିରିଟିଏ ଖୋଜୁଛନ୍ତି। ବାପା ବିପିନ ଶୀଘ୍ର ଚାକିରିଟିଏ ଖୋଜିବା ପାଇଁ ତାଙ୍କୁ ବାରମ୍ବାର ବାଧ୍ୟ କରୁଛନ୍ତି। କାରଣ ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଏବଂ ପରିବାର ଉପରେ ଋଣଭାର ବଢ଼ିବାରେ ଲାଗିଛି। ମାତ୍ର ସଞ୍ଜୟ ଚାକିରିଟିଏ ଯୋଗାଡ଼ କରିପାରୁନାହିଁ। ଏହା ଭିତରେ ବିପିନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ପୁଣି ଋଣ କରିବାକୁ ପଡ଼ୁଛି। ସଞ୍ଜୟ ଜାଣିବାକୁ ପାଉଛି ଯେ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବାର ବ୍ୟବସ୍ଥା ରହିଛି। ତେଣୁ ହତାଶ ସଞ୍ଜୟ ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହୁଛି। କିନ୍ତୁ ‌ଶେଷରେ ନିଜ ଭୁଲ ବୁଝିପାରୁଛି ସଞ୍ଜୟ। ବାପାଙ୍କ ବିୟୋଗ ପରେ ନିଜକୁ ଶକ୍ତ କରି ଚାକିରି ପାଇଁ ଚେଷ୍ଟା କରିଛି।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରକୁ ହିନ୍ଦୀ ରିମେକ୍ କରିବା ପାଇଁ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌ କିଛି ଦିନ ତଳେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର