ମୁମ୍ବାଇ: ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା କରିବା ପରେ ଏବେ ନିଜ ମନ କଥା ଖୋଲି କହିଛନ୍ତି ପୂର୍ବ ପ୍ରେମିକ ରାହୁଲ ରାଜ ସିଂହ। ପ୍ରତ୍ୟୁଷା ବାନାର୍ଜୀ ଏପ୍ରିଲ ୧, ୨୦୧୬ରେ ଆତ୍ମହତ୍ୟା କରିଥିଲେ। ଏହା ପରେ ରାହୁଲଙ୍କ ଉପରେ ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଆରୋପ ଲାଗିଥିଲା। ଏଥିପାଇଁ ତାଙ୍କୁ ୩ମାସ ଜେଲରେ ରହିବାକୁ ପଡ଼ିଥିଲା। ପରେ ସେ ଜେଲରୁ ବାହାରକୁ ଆସିଥିଲେ ବି ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା। ଏବେ ପ୍ରାୟ ୯ବର୍ଷ ପରେ ସେ ପ୍ରତ୍ୟୁଷାଙ୍କ କ୍ୟାରିୟର ବର୍ବାଦ ପାଇଁ ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀଙ୍କୁ ଦାୟୀ କରିଛନ୍ତି।
ରାହୁଲଙ୍କ କହିବା ମୁତାବକ, "କାମ୍ୟା ମୋତେ ଏକ ମିଥ୍ୟା ମାମଲାରେ ଫସାଇ ଦେଇଥିଲେ। ଚର୍ଚ୍ଚାରେ ରହିବା ପାଇଁ ଏବଂ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ କାମ୍ୟା ଏସବୁ କରିଥିଲେ। ମୁଁ ପ୍ରତ୍ୟୁଷାଙ୍କୁ ମଦ୍ୟପାନ କରିବାକୁ ବାରଣ କରୁଥିବାରୁ ମୋତେ ଖଳନାୟକ କରାଯାଇଥିଲା। କାମ୍ୟା ପ୍ରତ୍ୟୁଷାଙ୍କ ବନ୍ଧୁ ନଥିଲେ। ସମ୍ପର୍କ ସବୁ ନକଲି ଥିଲା। କାମ୍ୟା ଜାଣି ନଥିଲେ ଯେ ପ୍ରତ୍ୟୁଷାଙ୍କ ଜୀବନରେ କ'ଣ ଘଟୁଛି। ସେ କେବେବି ତାଙ୍କ ମାନସିକ ଅବସ୍ଥାକୁ ନେଇ ଚିନ୍ତିତ ନଥିଲେ। ପ୍ରତ୍ୟୁଷା ଅଧିକ ମଦ୍ୟପାନ କରୁଥିଲେ ବି କାମ୍ୟା ତାଙ୍କୁ କେବେ ବି ରୋକି ନଥିଲେ। କାରଣ ପ୍ରତ୍ୟୁଷାଙ୍କ ପାଖରେ ବହୁତ ଟଙ୍କା ଥିଲା। ସେ ସବୁବେଳେ କାମ୍ୟାଙ୍କ ଖର୍ଚ୍ଚ ଉଠାଉଥିଲେ।"