ମୁମ୍ବାଇ: ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା କରିବା ପରେ ଏବେ ନିଜ ମନ କଥା ଖୋଲି କହିଛନ୍ତି ପୂର୍ବ ପ୍ରେମିକ ରାହୁଲ ରାଜ ସିଂହ। ପ୍ରତ୍ୟୁଷା ବାନାର୍ଜୀ ଏପ୍ରିଲ ୧, ୨୦୧୬ରେ ଆତ୍ମହତ୍ୟା କରିଥିଲେ। ଏହା ପରେ ରାହୁଲଙ୍କ ଉପରେ ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଆରୋପ ଲାଗିଥିଲା। ଏଥିପାଇଁ ତାଙ୍କୁ ୩ମାସ ଜେଲରେ ରହିବାକୁ ପଡ଼ିଥିଲା। ପରେ ସେ ଜେଲରୁ ବାହାରକୁ ଆସିଥିଲେ ବି ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା। ଏବେ ପ୍ରାୟ ୯ବର୍ଷ ପରେ ସେ ଦିନର ଘଟଣାକୁ ମନେ ପକାଇଛନ୍ତି ରାହୁଲ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "କୁହାଗଲା ଯେ ପ୍ରତ୍ୟୁଷାଙ୍କର ତାଙ୍କ ଘରେ ହିଁ ମୃତ୍ୟୁ ହୋଇଯାଇଥିଲା। ହେଲେ ଏହା ମିଛ। ହସ୍ପିଟାଲ ଯାଏ ସେ ଜୀବିତ ଥିଲେ। ତାଙ୍କ ନିଶ୍ବାସ ଚାଲୁଥିଲା। ହେଲେ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଥିବା ସବୁ କାଗଜପତ୍ର କାମ ଶେଷ କରିବାକୁ ବିଳମ୍ବ ହେବାରୁ ପ୍ରତ୍ୟୁଷାଙ୍କର ମୃତ୍ୟୁ ହୋଇଥିଲା।"
ଟେଲି କଳାକାର କାମ୍ୟା ପଞ୍ଜାବୀ ଓ ବିକାଶ ଗୁପ୍ତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, "କାମ୍ୟା ପଞ୍ଜାବୀ ଏବଂ ବିକାଶ ଗୁପ୍ତା ନିଆଁରେ ଘିଅ ଢ଼ାଳିବା କାମ କରିଥିଲେ। ସେମାନେ କହିଥିଲେ ଯେ ରାହୁଲ, ପ୍ରତ୍ୟୁଷାଙ୍କୁ ହତ୍ୟା କରିଛନ୍ତି। ମୁଁ ସେମାନଙ୍କ ସାକ୍ଷାତକାରରେ ଏହା ଦେଖିଥିଲି। ସେମାନେ ଦାବି କରିଥିଲେ ଯେ ପ୍ରତ୍ୟୁଷାଙ୍କ ଉପରେ କୌଣସି ଆର୍ଥିକ ବୋଝ ନଥିଲା। ତାଙ୍କ ପାଖରେ ବହୁତ କାମ ଥିଲା। ବିକାଶ ଗୁପ୍ତା କେବେ ବି ପ୍ରତ୍ୟୁଷାଙ୍କୁ କାମ ଦେଇ ନଥିଲେ। ତଥାପି ସେ ଏପରି ବୟାନ ଦେଇଥିଲେ।"