ମୁମ୍ବାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କର ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହୁଛନ୍ତି। ସେ ଗର୍ଭବତୀ ଥିବା ଖବର ଜଣାପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବେଶି ହେଉଛି। ଖୁବ୍ ଶୀଘ୍ର ମାଆ ବନିବାକୁ ଯାଉଛନ୍ତି ‘ଶଶୁରାଲ୍ ସିମର୍ କା’ ଅଭିନେତ୍ରୀ ଦୀପିକା। ତେବେ ଏହା ମଧ୍ୟରେ ଆଉ ବି ଏକ ଖବର ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ରମ୍ଜାନ୍ ମାସରେ ନିଜ ପାଇଁ ନୂଆ ଘର କିଣିଛନ୍ତି ଅଭିନେତ୍ରୀ ଦୀପିକା ଓ ସ୍ବାମୀ ସୋଏବ।
ଆପଣ ଜାଣନ୍ତି ଯେ ଦୀପିକା କକ୍କର ଓ ସୋଏବ ଇବ୍ରାହିମ୍ ହେଉଛନ୍ତି ଖୁବ୍ ଲୋକପ୍ରିୟ ଯୋଡ଼ି। ସେ ଦୁହେଁ ୟୁଟ୍ୟୁବ୍ ଭିଡିଓ ଜରିଆରେ ପ୍ରଶଂସକମାନଙ୍କ ସହ ସେମାନଙ୍କ ଯୋଗାଯୋଗ ବନାଇ ରଖିଥାନ୍ତି। ତେବେ ନିକଟରେ ଦମ୍ପତି ନିଜର ପ୍ରଶଂସକମାନଙ୍କ ପାଇଁ ଏହି ଭଲ ଖବର ସେୟାର୍ କରିଛନ୍ତି।
ସେମାନେ ନିଜର ଏକ ନୂଆ ଫ୍ଲାଟ୍ କ୍ରୟ କରିଛନ୍ତି। ରମଜାନ୍ ମାସରେ ସେମାନଙ୍କୁ ସେମାନଙ୍କ ନୂଆ ଫ୍ଲାଟ୍ର ଚାବି ମିଳିଯାଇଛି। ସେମାନେ ବର୍ତ୍ତମାନ ଯେଉଁ ଫ୍ଲାଟରେ ରହିଛନ୍ତି ନୂଆ ଫ୍ଲାଟ୍ ତାକୁ ଲାଗିକି ରହିଛି ।
ତେବେ ସେମାନଙ୍କ ନୂଆ ଫ୍ଲାଟ୍ରେ ସଜାସଜି କାମ ବି ଏବେ ଆରମ୍ଭ ହୋଇଯାଇଛି। ଦୀପିକା ଗର୍ଭବତୀ ଥିବାରୁ ସେ ଏବେ ଏ ସବୁ କାମରେ ସେତେ ଭଲ ଭାବେ ସାମିଲ୍ ହୋଇ ପାରୁନାହାନ୍ତି। ଏଥିପାଇଁ ସେ ଜଣେ ଇଣ୍ଟେରିୟର୍ ଡିଜାଇର୍ଙ୍କୁ ଦାୟିତ୍ବ ଦେଇଛନ୍ତି।
ସେମାନେ ନିଜର ପୁରୁଣା ଓ ନୂଆ ଘରକୁ ମିଶାଇ ଏକ ବଡ଼ ବିଳାସମୟ ଘରର ରୂପ ଦେବାକୁ ଯାଉଛନ୍ତି। ସେମାନେ କହିଛନ୍ତି କି ସମସ୍ତ କାର୍ଯ୍ୟ ସରିବାକୁ ଏବେ ସମୟ ଲାଗିବ। ରମ୍ଜାନ୍ ମାସ ପରେ ବି କାମ ଚାଲିପାରେ। ପ୍ରଶଂସକ ଅନୁମାନ କରୁଛନ୍ତି ଯେ ସେମାନେ ସେମାନଙ୍କ ନୂଆ ଘରେ ହିଁ କୁନି ଅତିଥିଙ୍କୁ ସ୍ବାଗତ କରିବାର ଯୋଜନା ରଖିଛନ୍ତି।