ନୂଆଦିଲ୍ଲୀ: ହଲିଉଡ ହିଲ୍ସରେ ନିଆଁ ଏବେ ମଧ୍ୟ ନିୟନ୍ତ୍ରଣ ବାହାରେ ରହିଛି। ଲସ୍ ଆଞ୍ଜେଲସ ଇତିହାସରେ ସବୁଠାରୁ ଭୟଙ୍କର ଜଙ୍ଗଲ ନିଆଁ ସାରା ସହରରେ ବ୍ୟାପିଯାଇଛି । ସାଧାରଣ ଲୋକଙ୍କ ଘର ସହ ଅନେକ ହଲିଉଡ୍ ସେଲିବ୍ରିଟିଙ୍କ ଘର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।
ବର୍ତମାନ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ତାଙ୍କ ପରିବାର ସହିତ ବିଦେଶରେ ରହୁଛନ୍ତି । ସେ ପ୍ରଶଂସକଙ୍କ ସହ ଏହି ଜଙ୍ଗଲ ନିଆଁକୁ ନେଇ ଏକ ଅପଡେଟ୍ ସେୟାର କରିଛନ୍ତି । ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ଅପଡେଟ୍ ସେୟାର କରି ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଲସ୍ ଆଞ୍ଜେଲସରେ ଚାଲିଥିବା ଅଗ୍ନିକାଣ୍ଡ ମଧ୍ୟରେ ସେ ଓ ତାଙ୍କ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି।
ଅଧିକପଢ଼ନ୍ତୁ:ଚୀନ୍ ସେନା ନିୟନ୍ତ୍ରଣରେ ପାନାମା କେନାଲ: ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ବିବାଦ
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଅଭିନେତ୍ରୀ ଲେଖିଛନ୍ତି, ମୁଁ କେବେ ଭାବି ନ ଥିଲି ଲସ୍ ଆଞ୍ଜେଲସରେ ଏପରି କେବେ ନିଆଁ ଲାଗିବ। ପଡ଼ୋଶୀ ମାନଙ୍କୁ ଘର ଖାଲି କରିବାକୁ ପଡିବ ଏବଂ ସାଙ୍ଗସାଥି ପରିବାର ଲୋକ ହାଇ ଆଲର୍ଟରେ ରହିବେ । ଆକାଶରୁ ପାଉଁଶ ବରଫ ପରି ପଡୁଛି । ପବନ ଯଦି ଶାନ୍ତ ନହୁଏ ତେବେ କଣ ଯେ ହେବ ସେ ନେଇ ଭୟ ଓ ଅନିଶ୍ଚିତତା ଲାଗିରହିଛି ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ମୋର ଚାରିପାଖରେ ଘଟିଥିବା ବିନାଶରେ ମୁଁ ଦୁଃଖିତ ଏବଂ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ଆମେ ଏପର୍ଯ୍ୟନ୍ତ ସୁରକ୍ଷିତ ଅଛୁ। ଏହି ନିଆଁରେ ବିସ୍ଥାପିତ ଏବଂ ସବୁକିଛି ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅଭିନେତ୍ରୀ ସମବେଦନା ଓ ପ୍ରାର୍ଥନା କରିଛନ୍ତି। ସେ ଅଗ୍ନିଶମ ବିଭାଗ, ଅଗ୍ନିଶମ କର୍ମଚାରୀ ଏବଂ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅଧିକପଢ଼ନ୍ତୁ ନିମୋନିଆ ହେଲେ ଯେଉଁ ଚିକିତ୍ସା କରାଯାଏ, ଏଚ୍ଏମ୍ପିଭିରେ ମଧ୍ୟ ସମାନ ଚିକିତ୍ସା
ଏହାପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଇନଷ୍ଟାଗ୍ରାମରେ କିଛି ଭିଡିଓ ଓ ଫଟୋ ସେୟାର କରିଥିଲେ ଏବଂ ଏହି ବିପର୍ଯ୍ୟୟ ସହ ସଂଗ୍ରାମ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିଥିଲେ।