ଜଣେ ଉତ୍ତମ ସିନେକଳାକାର ହେବା ପାଇଁ ସୁଅଭିନୟ ସହ ନୃତ୍ୟରେ ବି ଦକ୍ଷତା ଥିବା ଆବଶ୍ୟକ। ସାଧାରଣତଃ ଚଳଚ୍ଚିତ୍ରର ନାୟକନାୟିକାଙ୍କ ଠାରୁ ଦର୍ଶକ ଜୀବନ୍ତ ଅଭିନୟ ସହ ମନଛୁଆଁ ନାଚକୁ ଅପେକ୍ଷା ରଖିଥାଆନ୍ତି। ଅଭିନେତାଅଭିନେତ୍ରୀଙ୍କ ନାଚ ଦେଖି ଦର୍ଶକ ଭାବି ଥାଆନ୍ତି ସେମାନେ ନୃତ୍ୟକଳାରେ ନିପୁଣ! ପ୍ରକୃତ କଥା ହେଲା, ସେମାନେ କିଭଳି ଶୈଳୀରେ ନାଚିଲେ ଦର୍ଶକଙ୍କ ମନକୁ ପାଇବ, ତାହା ସଂଯୋଜନା କରିଥାଆନ୍ତି କୋରିଓଗ୍ରାଫର୍ ବା ନୃତ୍ୟ ନିର୍ଦ୍ଦେଶକ। ସେମାନଙ୍କ ଦ୍ବାରା ନିର୍ଦ୍ଦେଶିତ ଶୈଳୀକୁ ଅନୁକରଣ କରି ନାୟକନାୟିକାମାନେ କ୍ୟାମେରା ସାମ୍ନାରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରନ୍ତି। ପରଦା ପଛରେ ରହି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ନେପଥ୍ୟ ନାୟକ ହେଉଛନ୍ତି କୋରିଓଗ୍ରାଫର୍‌। ଓଲିଉଡ୍‌ର ଜଣେ ସଫଳ କୋରିଓଗ୍ରାଫର୍ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ବବି ଇସ୍‌ଲାମ୍‌।
ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନାକୁ ନେଇ ବବି କହନ୍ତି,‘‘ସାଧାରଣ ଧାରଣା ହେଉଛି, କୋରିଓଗ୍ରାଫି ମାନେ କେବଳ ନୃତ୍ୟ ପାଇଁ ଷ୍ଟେପ୍‌ସ୍‌ ଶିଖାଇବା। ମାତ୍ର କୋରିଓଗ୍ରାଫିର ପ୍ରକୃତ ଅର୍ଥ ତାହା ନୁହେଁ। କୋରିଓଗ୍ରାଫି ବିଭିନ୍ନ ପ୍ରକାରର। ବେଳେ ବେଳେ ନାଟକୀୟ ପରିବେଷଣ ବେଳେ ବି କୋରିଓଗ୍ରାଫି କରିବାକୁ ପଡ଼େ, ବ୍ୟଙ୍ଗାତ୍ମକ ଦୃଶ୍ୟରେ ବି କୋରିଓଗ୍ରାଫର୍‌ଙ୍କ ଆବଶ୍ୟକତା ପଡ଼େ ଏବଂ ଫାଇଟ୍ ସିନ୍‌ର ବି କୋରିଓଗ୍ରାଫି କରାଯାଏ।’’
କୋରିଓଗ୍ରାଫର୍‌ ବୃତ୍ତିକୁ ଆସିବାକୁ କେବେ ଓ କାହିଁକି ଭାବିଲେ ବୋଲି ପଚାରିବାରୁ ସେ କହନ୍ତି, ‘‘ମୋର ଏହି ବୃତ୍ତିରେ ୩୨ ବର୍ଷ ହୋଇଗଲାଣି। ସତ କହିଲେ, ମୁଁ କେବେ ଏହି ବୃତ୍ତିକୁ ଭାବିବୁଝି ଆସିନି। ବିଧିବଦ୍ଧ ନୃତ୍ୟଶିକ୍ଷା ନକରି ମଧ୍ୟ ନାଚୁ ନାଚୁ କୋରିଓଗ୍ରାଫର୍ ହୋଇଯାଇଛି। ହିନ୍ଦୀ ସିନେମା ‘ଭିଗି ପଲକେଁ’ରେ ମୁଁ ଶିଶୁ କଳାକାର ଭାବେ ଅଭିନୟ କରିଥିଲି। ଜଣାଶୁଣା ପ୍ରଯୋଜକ ସ୍ବର୍ଗତଃ ଦେବବ୍ରତ କର ଆମ ପଡ଼ୋଶୀ ଥିଲେ। ମୁଁ ଭଲ ନାଚୁଥିବାରୁ ୧୯୮୮ ମସିହାରେ ସେ ‘ପାପପୁଣ୍ୟ’ ସିନେମାରେ ମୋତେ ସୁଯୋଗ ଦେଇଥିଲେ। ମୁଁ ଆସିଷ୍ଟାଣ୍ଟ୍ କୋରିଓଗ୍ରାଫର୍ ଭାବେ କାମକଲି। ତା’ର ଅନେକ ବର୍ଷ ପରେ ମୁଁ କୋରିଓଗ୍ରାଫର୍‌ ହେଲି। ଏବେ ସୁଦ୍ଧା ହିନ୍ଦୀ ସମେତ ପ୍ରାୟ ୧୦ଟି ଭାଷାର ଫିଲ୍ମରେ ମୁଁ କୋରିଓଗ୍ରାଫି କରିସାରିଲିଣି। ଏବେ ମୋର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ‘ବବି ଓ ବେବି’, ‘ମାୟା ମରିଚିକା’ ଓ ‘ମିଡ୍‌ନାଇଟ୍‌’ ଆଦି ଚଳଚ୍ଚିତ୍ର ଆସିବାକୁ ଯାଉଛି। ‘ବବି ଓ ବେବି’ ଏବଂ ‘ମାୟା ମରିଚିକା’ରେ ମୁଁ ଉଭୟ ନିର୍ଦ୍ଦେଶକ ଓ କୋରିଓଗ୍ରାଫର୍‌ର ଦାୟିତ୍ବ ତୁଲାଉଛି।’’
ଓଡ଼ିଶାରେ ଜଣେ କେବଳ କୋରିଓଗ୍ରାଫି କରି ଭଲ ରୋଜଗାର ସହ ଉତ୍ତମ ଜୀବନଯାପନ କରିପାରିବ? ଜଣେ ପ୍ରଶିକ୍ଷିତ କୋରିଓଗ୍ରାଫର୍ ହେବା ପାଇଁ ଏଠାରେ କ’ଣ ସବୁ ସୁବିଧା ରହିଛି ବୋଲି ପ୍ରଶ୍ନରେ ବବି କହନ୍ତି,‘‘ଆମ ବେଳେ କୋରିଓଗ୍ରାଫି କରି ଆମେ ବାଇକ୍ ଚଳାଇବା କଷ୍ଟ ହୋଇ ପଡୁଥିଲା। ମାତ୍ର ଏବେ କୋରିଓଗ୍ରାଫର୍ କାର୍ ଚଳାଉଛନ୍ତି। ଏ ବୃତ୍ତିରେ ରୋଜଗାର ବହୁତ ଭଲ। ମାତ୍ର କାମ ଭଲଭାବେ ଶିଖି ବୃତ୍ତିକୁ ଆସିବା ଉଚିତ। ଓଡ଼ିଶାରେ କୋରିଓଗ୍ରାଫି ଲାଗି ସେପରି କୌଣସି ନିର୍ଦ୍ଦିଷ୍ଟ କୋର୍ସ ଏ ପର୍ଯ୍ୟନ୍ତ ନାହିଁ। ପ୍ରଥମତଃ ଜଣେ ଭଲ ନାଚୁଥିବା ଦରକାର। ପରେ କାମ କରୁ କରୁ ଅନେକ ଜିନିଷ ଶିଖି ହୋଇଯାଏ। ଇଏ ତ ହେଲା ଆଣ୍ଡ୍ରଏଡ୍‌ ଜମାନା। ୟୁଟ୍ୟୁବ୍ ଦେଖି ଅନେକ କଥା ଶିଖିହେଉଛି। ଏତିକି କହିବି, ଯଦି କେହି ନୃତ୍ୟ ପ୍ରଶିକ୍ଷଣ ସହ ଏ ବୃତ୍ତିକୁ ଆସୁଛନ୍ତି ତ ବହୁତ ଭଲ ରୋଜଗାର କରିପାରିବେ। କେବଳ ଚଳଚ୍ଚିତ୍ର ନୁହେଁ, ଟିଭି ସିରିଅଲ୍‌, ୱେବ୍‌ ସିରିଜ୍‌ ଓ ମ୍ୟୁଜିକ୍‌ ଭିଡିଓରେ କୋରିଓଗ୍ରାଫି ହେଉଛି।’’
‘‘କୋରିଓଗ୍ରାଫି ବେଳେ କେବଳ ଗୀତକୁ ଦୃଷ୍ଟିରେ ରଖିଲେ ହେବନି। ସିନେମାର କାହାଣୀ ଓ ଚରିତ୍ରକୁ ବି ଦେଖିବାକୁ ହେବ। ଧରାଯାଉ ନାୟକ ହୁଣ୍ଡାଳିଆ ସ୍ବଭାବର, ତେଣୁ ତାଙ୍କୁ ଦେଖି କୋରିଓଗ୍ରାଫି କରାଯାଏ। ଯେମିତି ‘ଅନନ୍ତା’ ଚଳଚ୍ଚିତ୍ରରେ କରାଯାଇଛି।’’