ପୃଥ୍ବୀରାଜଙ୍କ ପ୍ରେମିକା

ମୁମ୍ବାଇ:  ନିର୍ଦ୍ଦେଶକ ଆଲଫୋସ୍ ପୃଥେନ୍ ତାଙ୍କ ନୂଆ ଚଳଚ୍ଚିତ୍ର ‘ଗୋଲ୍‌ଡ’ରେ ପୃଥ୍ବୀରାଜ ସୁକୁମାରନ୍‌ଙ୍କୁ ନାୟକ ଏବଂ ନୟନତାରାଙ୍କୁ ନାୟିକା ଭୂମିକାରେ ଉପସ୍ଥାପିତ କରିଛନ୍ତି। ଏହାର କାହାଣୀ ପ୍ରେମର ପୃଷ୍ଠଭୂମିକୁ ନେଇ ପର୍ଯ୍ୟବସିତ। ଜଣେ ପ୍ରେମିକ ବୟସର ଭିନ୍ନ ଭିନ୍ନ ସୋପାନରେ ତା’ ପ୍ରେମିକାକୁ କିପରି ବିମୋହିତ କରୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ବିଶେଷ କରି ଏଥିରେ ଥିବା ସଂଳାପ, ସଙ୍ଗୀତ ଏବଂ ଅଭିନୟ ଦର୍ଶକଙ୍କୁ ବହୁଭାବରେ ଆକୃଷ୍ଟ କରିବ ବୋଲି ଶୁଣାଯାଉଛି। ନିର୍ଦ୍ଦେଶକ ଆଲଫୋସ୍ ତାଙ୍କ ନୂଆ ଚଳଚ୍ଚିତ୍ର ‘ଗୋଲ୍‌ଡ’ର ଟିଜର ମଧ୍ୟ ଦର୍ଶକଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ଏଥିରେ ନୟନତାରା ସୁମଙ୍ଗଳି ଭୂମିକାରେ ଥିବାବେଳେ ରୋଶନ ମାଥ୍ୟୁ, ଲାଲୁ ଆଲେକ୍ସ, ଚେମ୍ବାନ ବିନୋଦ, ବାବୁରାଜ, ମଲ୍ଲିକା ସୁକୁମାରନ୍, ବିନୟ ଫର୍ଟ ଏବଂ ଆଉ ଅନ୍ୟାନ୍ୟ ନାମୀ କଳାକାରଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଏହା ଭିତରେ ପୃଥ୍ବୀରାଜ ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ‘ଜନଗଣ ମନ’ ପାଇଁ ଉତ୍ସାହିତ ଅଛନ୍ତି। ସେମିତି ନୟନତାରା ମଧ୍ୟ ଆଗାମୀ ମାସରେ ମୁକ୍ତିଲାଭ କରିବାକୁ ଥିବା ତାଙ୍କ ନୂଆ ସିନେମା ‘କାଥୁ ବକ୍‌ଲା ରେନ୍ଦୁ କାଦ୍ଧଲି’ ନେଇ ଉତ୍ସାହିତ ଅଛନ୍ତି। ତେବେ ପୃଥ୍ବୀରାଜଙ୍କ ସହ ନୟନତାରାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିତରେ ବେଶ୍ ଉତ୍କଣ୍ଠା ଦେଖାଦେଲାଣି। ଲୋକପ୍ରିୟ ମାଲୟାଲମ୍ ଚଳଚ୍ଚିତ୍ର ‘ପ୍ରେମମ୍’ର ନିର୍ଦ୍ଦେଶକ ଅଲଫୋସ୍ ପୃଥେନ୍ ସାତବର୍ଷର ବ୍ୟବଧାନ ପରେ ପୁଣି ଚଳଚ୍ଚିତ୍ର ଦୁନିଆକୁ ଫେରିଛନ୍ତି। ୨୦୧୫ରେ ମୁକ୍ତିଲାଭ କରିଥିବା ଏଇ ଚଳଚ୍ଚିତ୍ର ସେତେବେଳେ କେବଳ କେରଳ ରାଜ୍ୟ ଭିତରେ ସୀମିତ ନ ରହି ସାରା ଦେଶର ସିନେପ୍ରେମୀଙ୍କୁ ଆକୃଷ୍ଟ ଓ ପ୍ରଭାବିତ କରିଥିଲା।

ସମ୍ବନ୍ଧିତ ଖବର