ପ୍ରିୟଙ୍କାଙ୍କ ସହ ବି ଏପରି ହୋଇଥିଲା!

ଫିଲ୍ମ ଦୁନିଆରେ ନୂଆକରି ପାଦ ଦେବାବେଳେ ଅଧିକାଂଶ ଅଭିନେତ୍ରୀ କେମିତି ଶୋଷଣର ଶିକାର ହୁଅନ୍ତି, ଆପଣ ଶୁଣିଥିବେ। ବିଶେଷକରି ଫିଲ୍ମ ପରିବାରରୁ ଓ ଫିଲ୍ମ ନଗରୀ ମୁମ୍ବାଇ ବାହାରୁ ଆସୁଥିବା ଅଭିନେତ୍ରୀମାନେ ଏହାକୁ ସାମ୍‌ନା କରନ୍ତି। ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ହଲିଉଡ୍‌ରେ ମଧ୍ୟ ନାଁ କରି ସାରିଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ସେଇ ପରିସ୍ଥିତି ଭିତର ଦେଇ ଯିବାକୁ ହୋଇଥିଲା। ଯଦିଓ ପ୍ରିୟଙ୍କା କୋଉ ଦୂର ସହରର ସାଧାରଣ ଝିଅ ଭାବେ ନୁହେଁ, ମିସ୍‌ ଇଣ୍ଡିଆ ଓ ମିସ୍‌ ଓ୍ଵାର୍ଲଡ୍‌ ହେବାପରେ ହିଁ ଫିଲ୍ମ ଦୁନିଆକୁ ଆସିଥିଲେ। ଏକଥା ତାଙ୍କ ମାଆ ଡାକ୍ତର ମଧୁ ଚୋପ୍ରା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରାଥମିକ ସମୟରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କର ଅଶୋଭନୀୟ ଦାବିରେ ରାଜି ନ ହେବାରୁ ପ୍ରିୟଙ୍କାଙ୍କୁ ଦଶଟିରୁ ଅଧିକ ବଡ଼ ଫିଲ୍ମ ହାତଛଡ଼ା କରିବାକୁ ପଡ଼ିଥିଲା। ଗୋଟିଏ ଫିଲ୍ମର ନିର୍ଦ୍ଦେଶକ ତାଙ୍କୁ ଅତି ଛୋଟ ପୋଷାକ ପିନ୍ଧି ଅଙ୍ଗପ୍ରଦର୍ଶନ କରିବାକୁ କହିଥିଲେ। ପ୍ରିୟଙ୍କା ରାଜି ନ ହେବାରୁ ସେ କହିଥିଲେ, ‘‘ଫିଲ୍ମରେ ମିସ୍‌ ଓ୍ଵାର୍ଲଡ୍‌କୁ ନେଇକି ଆମର କ’ଣ ଲାଭ, ଯଦି ଆମେ ତା’ର ସୁନ୍ଦର ଦେହକୁ କ୍ୟାମେରା ଆଗରେ ଦେଖେଇ ପାରିବାନି!!’’

ମଧୁ ଆଉ ଗୋଟିଏ ଉଦାହରଣ ମଧ୍ୟ ଦେଇଥିଲେ, ‘‘ଥରେ ନିର୍ଦ୍ଦେଶକ କାହାଣୀ ଶୁଣେଇବାକୁ ଡାକିଥିଲେ। ପ୍ରିୟଙ୍କା ଓ ମୁଁ ଦୁହେଁ ଯାଇଥିଲୁ।’’ ସେ ନିର୍ଦ୍ଦେଶକ ପ୍ରିୟଙ୍କାକୁ କହିଥିଲେ- ‘ତମ ମାଆଙ୍କୁ କୁହ ସେଠି ବାହାରେ ଅପେକ୍ଷା କରିବେ, ମୁଁ ତମକୁ ଏକୁଟିଆ କାହାଣୀ ଶୁଣେଇବି’। ପ୍ରିୟଙ୍କା ଉତ୍ତର ଦେଇଥିଲା- ‘ଯୋଉ କାହାଣୀକୁ ମୁଁ ମାଆଙ୍କ ସାଙ୍ଗରେ ବସିକି ଶୁଣି ପାରିବିନି, ମୁଁ ସେ ଫିଲ୍ମ କରିବାକୁ ଚାହୁନି’।

ସମ୍ବନ୍ଧିତ ଖବର