ମୁମ୍ବାଇ: ପରଦାରେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଅଭିନେତା ହ୍ରିତିକ ରୋଶନଙ୍କ ଯୋଡିକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।
ପ୍ରିୟଙ୍କା ହ୍ରିତିକଙ୍କ ସହ 'ଅଗ୍ନିପଥ', 'କ୍ରିସ' ଏବଂ 'କ୍ରିସ-୩' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଉଭୟଙ୍କ ସମ୍ପର୍କ କେବଳ ବୃତ୍ତିଗତ ଭାବରେ ନୁହେଁ, ବ୍ୟକ୍ତିଗତ ଭାବରେ ମଧ୍ୟ ଖୁବ ଭଲ ରହିଛି ।
ପ୍ରିୟଙ୍କାଙ୍କ ମା' ମଧୁ ଚୋପ୍ରା ଏକ ଶୋ'ରେ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ତାଙ୍କ ସ୍ୱାମୀ ଅଶୋକ ଚୋପ୍ରା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ସେତେବେଳେ ହ୍ରିତିକ ଏବଂ ତାଙ୍କ ପିତା ରାକେଶ ରୋଶନ ଦେବଦୂତ ସାଜି ପହଞ୍ଚିଥିଲେ।
'ସମଥିଙ୍ଗ ବିଗର' ଶୋ’ରେ ମଧୁ ଚୋପ୍ରା କହିଛନ୍ତି,‘ମୋର ସ୍ୱାମୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ସମୟ ମୋର ଜୀବନର ସବୁଠାରୁ କଠିନ ସମୟ ଥିଲା। ସେହି ସମୟକୁ ମନେ ପକାଇଲେ ଏବେ ବି ମନ ଭିତରେ ଏକ ପ୍ରକାର ଛାନିୟା ପଶି ଯାଉଛି।
ସ୍ୱାମୀ ଅସୁସ୍ଥ ଥିବା ସମୟରେ ଆମେରିକାରେ ରହୁଥିବା ଭାଇ ବୋଷ୍ଟନକୁ ଆଣିବାକୁ ପରାମର୍ଶ ଦେଇଥିଲେ। ସ୍ବାମୀଙ୍କ ଶରୀର ଅବସ୍ଥାକୁ ଦେଖି ବିମାନରେ ନେଇଯିବା ରିକ୍ସ ଥିଲା। କୌଣସି ବିମାନ କମ୍ପାନି ଏତେ ଗୁରୁତର ରୋଗୀଙ୍କୁ ନେବାକୁ ପ୍ରସ୍ତୁତ ନଥିଲେ। ସେତେବେଳେ ପ୍ରିୟଙ୍କା ହ୍ରିତିକ ରୋଶନ ଏବଂ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ସହ 'କ୍ରିସ' ଫିଲ୍ମର ସୁଟିଂ କରୁଥିଲେ। ସେ ଦୁହିଁଙ୍କୁ ନିଜର ସମସ୍ୟା ବିଷୟରେ ଜଣାଇଥିଲେ। ତା’ପରେ ଉଭୟ ବାପା ପୁଅ ବିମାନ କମ୍ପାନିଗୁଡ଼ିକ ସହ କଥା ହେଇଥିଲେ ଏବଂ ଆମେ ଅଶୋକଙ୍କୁ ବୋଷ୍ଟନ ନେବାରେ ସଫଳ ହୋଇଥିଲୁ ।
ପ୍ରିୟଙ୍କା ତାଙ୍କ ଆତ୍ମଜୀବନୀ 'ଅନଫିନିସଡ଼' ରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ତାଙ୍କ ପିତା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ହ୍ରିତିକ ରୋଶନ ତାଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରିଥିଲେ। ’