ନୂଆଦିଲ୍ଲୀ : ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ୍ରେ ପୁଣି ଫିଲ୍ମ କରିବେ ବୋଲି ଖବର ଆସିଥିଲା । ଫିଲ୍ମ ‘ଭାରତ’ ଜରିଆରେ ସେ ନିଜର ପ୍ରଶଂସକଙ୍କ ମନୋରଞ୍ଜନ କରିବେ ବୋଲି ଖବର ଆସିଥିବା ବେଳେ ଏବେ ସେ ଫିଲ୍ମ ଛାଡ଼ିଥିବା ଜଣା ପଡ଼ିଛି । ଏହି ଫିଲ୍ମ ଛାଡ଼ିବା ପଛରେ ଏକ ବହୁତ ବଡ଼ କାରଣ ରହିଥିବା ଜଣା ପଡ଼ିଛି । ପ୍ରିୟଙ୍କା ନିଜର କଥିତ ପ୍ରେମିକ ନିକ୍ଙ୍କ ସହ ନିର୍ବନ୍ଧ କରି ସାରିଥିବା ବେଳେ ଅକ୍ଟୋବରରେ ତାଙ୍କୁ ବିବାହ କରିବେ । ବିବାହ ପାଇଁ ଖୁବ୍ କମ ସମୟ ଥିବାରୁ ସେ ଏହି ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ସେଥିରୁ ଓହରି ଯାଇଛନ୍ତି। ଏହା ସହ ଦୁଇ ଜଣ ଗୋଟେ ସପ୍ତାହ ପୂର୍ବରୁ ଲଣ୍ଡନରେ ନିର୍ବନ୍ଧ କରି ନେଇଥିଲେ ବୋଲି ଜଣା ପଡ଼ିଛି ।
ଏଭଳି ଖବର ପଛରେ ରହିଛି ‘ଭାରତ’ର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜଫରଙ୍କ ଟ୍ଵିଟ୍ । ସେ ନିଜେ ପ୍ରିୟଙ୍କା ‘ଭାରତ’ ଫିଲ୍ମ ଛାଡ଼ିଥିବା କଥା ଜଣାଇବା ସହ ଛାଡ଼ିବାର କାରଣକୁ ଖାସ୍ ବୋଲି କହିଥିଲେ । ପ୍ରିୟଙ୍କା ନିଜର ନିଷ୍ପତ୍ତି ଖୁବ୍ କମ ସମୟରେ ଜଣାଇଲେ କିନ୍ତୁ ଆମେ ତାଙ୍କ ପାଇଁ ଖୁସୀ ଅଛୁ ବୋଲି ସେ ଲେଖିଥିଲେ । ଏହି ଟ୍ଵିଟ୍ ପରେ ପ୍ରିୟଙ୍କା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଥିବା ସନ୍ଦେହ କରାଯାଉଛି। ଏହା ସହ ନିକ୍ ମଧ୍ୟ ନିଉୟର୍କର ଏକ ଗହଣା ଦୋକାନରୁ ପ୍ରିୟଙ୍କାଙ୍କୁ ମୁଦି କିଣି ଦେଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଦୀର୍ଘ ଦୁଇ ବର୍ଷ ପରେ ପ୍ରିୟଙ୍କା ବଲିଉଡ୍କୁ ଫେରୁଥିବା ବେଳେ ନିଜର ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ଦୁଇଟି ଫିଲ୍ମ ସାଇନ୍ କରିଥିଲେ । ଗୋଟିଏ ସଲମାନଙ୍କ ସହ ‘ଭାରତ’ ହୋଇଥିବା ବେଳେ ଅନ୍ୟଟି ଫର୍ହାନ୍ ଅଖ୍ତରଙ୍କ ସହ ‘ଦ ସ୍କାଏ ଇଜ୍ ପିଙ୍କ୍’। କିନ୍ତୁ ଏବେ ସେ ଫିଲ୍ମ ‘ଭାରତ’ରୁ ଓହରି ଯାଇଥିବା ବେଳେ ‘ଦ ସ୍କାଏ ଇଜ୍ ପିଙ୍କ’୍ ଫିଲ୍ମ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।