ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଆଜି ଜଣେ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି। ସେ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି। ବଲିଉଡରୁ ଦୂରେଇ ଯିବା ପରେ ସେ ଅନେକ ହଲିଉଡ ଫିଲ୍ମ ଏବଂ ଧାରାବାହିକରେ ଅଭିନୟ କରିଥିଲେ। ସେଠାରେ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିବା ବେଳେ ଅ‌ାଜି ସେ ହଲିଉଡରେ ଏକ ଜଣାଶୁଣା ନାମ ପାଲଟିଛନ୍ତି। 

Advertisment

ଯଦି ଆମେ ତାଙ୍କ କ୍ୟାରିୟର କଥା କହିବା ତେବେ ସେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ଅନିଲ ଶର୍ମାଙ୍କ 'ହିରୋ: ଦି ଲଭ୍ ଷ୍ଟୋରି ଅଫ୍ ଏ ସ୍ପାଏ'। ଏହି ଫିଲ୍ମରେ ପ୍ରିୟଙ୍କାଙ୍କୁ ସନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ସହ ଦେଖିବାକୁ ମିଳିଥିଲା।

ଏହା ପରେ ଅଭିନେତ୍ରୀଙ୍କୁ ଅକ୍ଷୟ କୁମାର ଏବଂ ଲାରା ଦତ୍ତାଙ୍କ ସହିତ ଫିଲ୍ମ 'ଅନ୍ଦାଜ୍'ରେ କାଷ୍ଟ କରାଯାଇଥିଲା। କିନ୍ତୁ, ତାଙ୍କ କ୍ୟାରିଅରର ପ୍ରାରମ୍ଭରେ ନାକ ସର୍ଜରୀ ଯୋଗୁଁ ପ୍ରିୟଙ୍କାଙ୍କ ନାକର ଆକାର ପରିବର୍ତ୍ତନ ହୋଇଥିଲା। ଡାକ୍ତର ଭୁଲବଶତଃ ତାଙ୍କ ନାକର ତଳ ଅଂଶ କାଟି ଦେଇଥିଲେ, ଯାହା ତାଙ୍କ ମୁହଁକୁ ବଦଳାଇ ଦେଇଥିଲା। ଏବେ 'ଅନ୍ଦାଜ୍'ର ପ୍ରଯୋଜକ ସୁନୀଲ ଦର୍ଶନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ପ୍ରିୟଙ୍କାଙ୍କୁ ନାକ ସର୍ଜରୀ କରିବାକୁ କହିଥିଲେ। 

ତାଙ୍କ କହିବା ମୁତାବକ, "ପ୍ରିୟଙ୍କା ପାରମ୍ପରିକ ଭାବରେ ସୁନ୍ଦର ନଥିଲେ। କିନ୍ତୁ ତାଙ୍କର ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ଏକ ଆକର୍ଷଣୀୟ ସ୍ୱର ଥିଲା। 'ଅନ୍ଦାଜ୍' ସେଟରେ ଅକ୍ଷୟ ଏବଂ ଲାରାଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଥିଲେ ବି ସେ ସର୍ବଦା ତାଙ୍କ କ୍ଷମତା ଉପରେ ବିଶ୍ୱାସ କରୁଥିଲେ।"