ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍କୁ ଛାଡ଼ିବା ପରେ ଆହୁରି ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରି ସାରିଲେଣି। ସେ ଯେ ଏବେ ଜଣେ ହଲିଉଡ୍ ବ୍ୟକ୍ତିତ୍ୱ ତାହା ତ ଆପଣ ଜାଣିଥିବେ ନିଶ୍ଚୟ। ଖାଲି ସେତିକି ନୁହେଁ, ସେ ତାଙ୍କ ପ୍ରେମିକ୍ ନିକ୍ଙ୍କୁ ନେଇ ମଧ୍ୟ ଗତ କିଛି ଦିନ ହେବ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଛନ୍ତି। ପ୍ରିୟଙ୍କା ନିକ୍ଙ୍କୁ ନେଇ ସୋସିଆଲ୍ ମିଡିଆଗୁଡ଼ିକରେ ସକ୍ରିୟ ହେବା ସହ ନିକଟରେ ଭାରତ ଆସି ମାଆଙ୍କ ସହ ପ୍ରେମିକ ନିକ୍ଙ୍କ ସାକ୍ଷାତ କରାଇବା କଥା ବି ସେ ଦୁହଁଙ୍କ ସଂପର୍କକୁ ନେଇ ସବୁଜ ସଂକେତ ଦେଇଥିଲା।
ଏବେ ନିକଟରେ ପ୍ରିୟଙ୍କାର ଏକ ଭିଡିଓ ୟୁଟ୍ୟୁବ୍ରେ ଅପ୍ଲୋଡ୍ ହୋଇଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଦେଶୀଗର୍ଲ। ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ସେ କିଛି ସାଥୀଙ୍କ ସହ ରାସ୍ତା ଉପରେ ନାଚୁଛନ୍ତି। ସେମାନେ ପିସିଙ୍କ ସାଥୀ ନୁହଁନ୍ତି ବରଂ ସହ-କଳାକାର ବୋଲି ଜାଣନ୍ତୁ। ପିସି ତାଙ୍କର ହଲିଉଡ୍ ଚଳଚ୍ଚିତ୍ର ‘ଇଜ୍ ନଟ୍ ଇଟ୍ ରୋମାଣ୍ଟିକ୍’ର ସୁଟିଂ ସମୟରେ ନ୍ୟୁୟର୍କରେ ଏହି ନୃତ୍ୟ କରୁଥିବାର ଜଣାପଡ଼ିଛି। ସେଥିରେ ସେ ଏକ ଗୋଲାପୀ ରଂଗର ପୋଷାକ ପିନ୍ଧି ଖୁବ୍ ଆକର୍ଷଣୀୟ ଦିଶୁଛନ୍ତି।