ବାଲେଶ୍ବରରେ ଏକ ମଞ୍ଚରେ ସଞ୍ଚାଳନ କରୁଥାଆନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା। ତାଙ୍କ ସଞ୍ଚାଳନ ଶୈଳୀରେ ପ୍ରଭାବିତ ହୋଇ ଓଲିଉଡ୍‌ର ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ, ‘‘ଫିଲ୍ମରେ କାମ କରିବ?’’ ଉତ୍ତର ଥିଲା, ‘‘ସୁଯୋଗ ମିଳିଲେ ନିଶ୍ଚୟ କରିବି।’’ ଏହାପରେ ପପୁ ସେହି ମଞ୍ଚରେ ଘୋଷଣା କରିଥିଲେ ଯେ ସେ ପ୍ରିୟଙ୍କା ସାହୁଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବେ।

Advertisment

ସେତେବେଳେ ନିର୍ଦ୍ଦେଶକ ବସନ୍ତ ସାହୁ ‘ପିଲାଟା ବିଗିଡ଼ିଗଲା’ ନିର୍ମାଣ କରୁଥାଆନ୍ତି। ଏଥିରେ ସେ ପପୁଙ୍କ ବିପକ୍ଷରେ ଜଣେ ନୂଆ ନାୟିକାଙ୍କୁ ସୁଯୋଗ ଦେବାକୁ ଯୋଜନା କରୁଥାଆନ୍ତି। ପପୁ ପମ୍‌ପମ୍ ନିର୍ଦ୍ଦେଶକଙ୍କୁ ପ୍ରିୟଙ୍କାଙ୍କ କଥା କହିବା ପରେ ତାଙ୍କର ସ୍କ୍ରିନ୍‌ ଟେଷ୍ଟ ନିଆଗଲା। ମାତ୍ର ସେ ଠିକ୍ ଭାବେ ଓଡ଼ିଆ ସଂଳାପ ଉଚ୍ଚାରଣ କରିପାରି ନ ଥିଲେ। ପ୍ରିୟଙ୍କା ଖଡ଼ଗପୁରରେ ରହୁଥିବାରୁ ଭଲ ଓଡ଼ିଆ ଶିଖି ନ ଥିଲେ। ଏହି କାରଣରୁ ପପୁଙ୍କ ବିପକ୍ଷରେ ପ୍ରିୟଙ୍କାଙ୍କ ବଦଳରେ ଲିପ୍‌ସା ମିଶ୍ରଙ୍କୁ ନିଆଯାଇଥିଲା।

ତେବେ ‘ପିଲାଟା ବିଗିଡ଼ିଗଲା’ରେ ଏକ ଛୋଟିଆ ଭୂମିକାରେ ପ୍ରିୟଙ୍କାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଏହାପରେ ପ୍ରିୟଙ୍କାଙ୍କ ମନରେ ନାୟିକା ହେବାର ଇଚ୍ଛା ସୃଷ୍ଟି ହେଲା। ସେ ଓଡ଼ିଆ ଶିଖିଲେ। ବିଭିନ୍ନ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପାଖକୁ ଯାଇ ଅଭିନୟ ଲାଗି ପ୍ରସ୍ତାବ ଦେଲେ। ଶେଷରେ କେ. ଅନିସଙ୍କ ନିର୍ଦ୍ଦେଶିତ ‘ସୁପରବୟ’ ଫିଲ୍ମରେ ନାୟିକା ଭାବେ ବ୍ରେକ୍ ପ‌ାଇଲେ। ଏହି ଫିଲ୍ମରେ ଜ୍ୟୋତିଙ୍କ ବିପକ୍ଷରେ ପ୍ରିୟଙ୍କା ଓ ତମନ୍ନା ଥିଲେ ନାୟିକା ଭୂମିକାରେ। ବାସ୍ ଏହାପରେ ଓଲିଉଡରେ ଆଗକୁ ଆଗକୁ ବଢ଼ିଚାଲିଛନ୍ତି ସେ।