ପାର୍ବତୀ ଘୋଷ୍, ଅନିତା ଦାସ, ଅପରାଜିତା ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅନୁ ଚୌଧୁରୀ ଓ ଅର୍ଚ୍ଚିତା ସାହୁଙ୍କ ପରେ ଓଲିଉଡ୍ରେ ଆଉ ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରଯୋଜନାରେ ପାଦ ଥାପିଛନ୍ତି। ସେ ହେଲେ ପ୍ରାୟ ଚଉଦ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଥିବା ପୁନମ୍ ମିଶ୍ର। ନୂଆ ସିନେମା ‘ରାମରାଜ୍ୟ’ରେ ନାୟିକା ହେବା ସହ ଏହାର ସହ-ପ୍ରଯୋଜକ ବି ରହିଛନ୍ତି।
ଏ ସଂପର୍କରେ ପୁନମ୍ କହନ୍ତି, ‘‘ପ୍ରଯୋଜନାରେ ପ୍ରବେଶ କରିବା ଆଗ୍ରହ ମୋର ଆଗରୁ ଥିଲା। ତେବେ ଏକା ପ୍ରଯୋଜିକା ହେବା ପୂର୍ବରୁ ଅଭିଜ୍ଞତା ହାସଲ ପାଇଁ ‘ରାମରାଜ୍ୟ’ର ସହ-ପ୍ରଯୋଜିକା ବନିଛି। ସବୁଠୁ ବଡ଼ କଥା ହେଲା, ‘କଟକ-ଶେଷରୁ ଆରମ୍ଭ’ରେ ମୁଁ ଅଭିନୟ କରିଥିଲି ଏବଂ ସେବେଠାରୁ ଏହାର ସିକ୍ବେଲ୍ ‘ରାମରାଜ୍ୟ’ସହ ମୋର ଭାବାବେଗ ଜଡ଼ିତ। ଏଣୁ ଏହି ସିନେମାରୁ ହିଁ ପ୍ରଯୋଜନାରେ ପାଦ ଥାପିଛି।’’
କୁମାର ପ୍ରୀତମ୍ ସାହୁ ଏହାର ମୁଖ୍ୟ ପ୍ରଯୋଜକ ହୋଇଥିବା ବେଳେ ସୁଧାଂଶୁମୋହନ ସାହୁ ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି। କାହାଣୀ ପ୍ରଯୋଜକଙ୍କର ହୋଇଥିବା ବେଳେ ଦିଲୀପ ଚୌଧୁରୀ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ଅସଦ୍ ନିଜାମ୍। ସୂଚନାଯୋଗ୍ୟ, ପୁନମ୍ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’(୨୦୧୧) ସିନେମାରୁ କ୍ୟାରିୟର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ। ଏହାପରେ ପୁନମ୍ ‘ଲଭ୍ମାଷ୍ଟର୍’, ‘ଟିକେ ଲଭ୍ ଟିକେ ଟ୍ବିଷ୍ଟ୍’, ‘ରକ୍ଷ୍ଟାର୍’, ‘କଟକ- ଶେଷରୁ ଆରମ୍ଭ’, ‘ଜହ୍ନରାତିର ସାଥୀ’, ‘ଚନ୍ଦ୍ରବଂଶୀ’ ଓ ‘ଦୁର୍ଗା’ ଆଦି ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।